ଭୁବନେଶ୍ବର: ରାଜ୍ୟରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ । ଫଳରେ ପୁଣି ୯ ତାରିଖରୁ ବର୍ଷାର ବିସ୍ତୃତି ବଢିବାର ସମ୍ଭାବନା ରହିଛି । ଗତକାଲିଠୁ ରାଜ୍ୟରେ ମୌସୁମୀ ପୁଣି ସକ୍ରିୟ ହୋଇଥିବାବେଳେ ରାଜ୍ୟର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ବିସ୍ତୃତି ବର୍ଷା ଫଳରେ ତାତି ଏବଂ ଅସହ୍ୟ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଥିଲା । ବର୍ତ୍ତମାନ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡିଶା ତଥା ବରଗଡ଼, ବଲାଙ୍ଗୀର, ସମ୍ବଲପୁର, ଝାରସୁଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଏହାସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ପାଖାପାଖି ୭ ରୁ ୨୦ ସେଣ୍ଟିମିଟର ବର୍ଷା ହେବାର ପୂର୍ବାନୁମାନ କରାଯାଇଥିବାବେଳେ ସାରା ରାଜ୍ୟରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିବା ନେଇ ଆକଳନ କରିଛି ବିଭାଗ। ସେହିପରି ଆସନ୍ତାକାଲି ବର୍ଷାର ପରିମାଣ କମ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ପୁଣି ଥରେ ଘୂର୍ଣ୍ଣବଳୟ ପ୍ରଭାବରୁ ୯ ରୁ ବଢିପାରେ ବର୍ଷାର ବିସ୍ତୃତି। ସେହିପରି ଆକାଶ ମେଘାଛନ୍ନ ଥିବାରୁ ଆର୍ଦ୍ରତା ଅଧିକ ପାଇଁ ଗୁଳୁଗୁଳି ଅନୁଭବ ହେଉଥିବା ଜଣାପଡିଛି। ଆଜି ଦିନ ୧୧ଟୀ ୩୦ ସୁଦ୍ଧା ଭୁବନେଶ୍ୱରରେ ୮୭ ପ୍ରତିଶତ ଆର୍ଦ୍ରତା ରେକର୍ଡ କରାଯାଇଛି ।
ସେପଟେ ୨୪ ଘଣ୍ଟା ଯାଏଁ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଜିଲ୍ଲା ଗୁଡ଼ିକ ହେଲା ବରଗଡ଼, ସମ୍ବଲପୁର, ନୂଆପଡ଼ା, ଝାରସୁଗୁଡା, ସୁନ୍ଦରଗଡ, ବଲାଙ୍ଗୀର, ଦେଓଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ସୋନପୁର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ଗଜପତି, ରାୟଗଡା, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ। ସେହିପରି ଆସନ୍ତାକାଲି ରାଜ୍ୟରେ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବାବେଳେ ୮ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।