ଲ୍ୟାଣ୍ଡଫଲ୍ କଲା ବାତ୍ୟା 'ମିଗଜୋମ୍', ୭ ତାରିଖରୁ ପାଗରେ ପରିବର୍ତ୍ତନ ଭୁବନେଶ୍ବର:ବଙ୍ଗୋପସାଗର ସୃଷ୍ଟ ବାତ୍ୟା ମିଗଜୋମ ଭୀଷଣ ବାତ୍ୟାର ରୂପ ନେଇ ଅଗ୍ରସର ହେଉଛି । ମିଗଜୋମ ବାତ୍ୟାର ରୂପ ନେବା ପରେ ଗତ ଘଣ୍ଟା ପ୍ରତି ୧୧ କିମି ଗତିରେ ଉତ୍ତର ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେଉଛି । ଏବେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥିବା ବେଳେ ଘଣ୍ଟା ପ୍ରତି ୯୦ରୁ ୧୧୦ କିମି ପବନ ବହୁଛି । ତେବେ ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଥିବା କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ମାଲକାନଗିରି, ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡ଼ା କଳାହାଣ୍ଡି କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଏହାସହ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡା ଏହି ତିନି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସମେତ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ପୁରୀରେ ମଧ୍ୟ ବର୍ଷା ନେଇ ଆକଳନ ଜାରି କରାଯାଇଛି। ସେହିପରି ବର୍ଷାର ସମ୍ଭାବନାକୁ ନେଇ ଅମଳ ହେବାକୁ ଥିବା ଫସଲକୁ ନେଇ ଚାଷୀଙ୍କୁ ସତର୍କ କରାଇଛି ବିଭାଗ ।
ଏହା ବି ପଢନ୍ତୁ- ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା ମିଗଜୋମ୍, ରାତି ସୁଦ୍ଧା ଖସିବ ବଳ
ଏହା ସହ ଅତି ପ୍ରବଳ ବର୍ଷା ହେବାକୁ ଜିଲ୍ଲାର ତଳିଆ ଅଞ୍ଚଳରେ ଜଳମଗ୍ନ ସମସ୍ୟା ଓ କଚ୍ଚା ଘର ଭାଙ୍ଗିବାର ଆଶଙ୍କା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ଉପକୂଳ ଜିଲ୍ଲା ଗୁଡିକରେ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଆଜି ମଧ୍ୟରାତ୍ର ବେଳକୁ ବାତ୍ୟା ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମଧ୍ୟରାତ୍ର ସୁଦ୍ଧା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ବାତ୍ୟା । ଏହି ବାତ୍ୟା ପ୍ରଭାବରେ ଓଡ଼ିଶାରେ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେବ । ଏହାସହ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜିବୀମାନଙ୍କୁ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି ।
ବାତ୍ୟା ସମ୍ପର୍କରେ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ଅଧିକ ସୂଚନା ଦେଇ କହିଛନ୍ତି, "ଆଗାମୀ ୨୪ ଘଣ୍ଟାରେ ମାଲକାନିଗିରି, କୋରାପୁଟ ଓ ରାୟଗଡ଼ାକୁ ପ୍ରବଳ ବର୍ଷା ଲାଗି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ପାର୍ଶ୍ବବର୍ତ୍ତୀ ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ମଧ୍ୟ ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ । ଆସନ୍ତା ୭ ତାରିଖରୁ ପାଗରେ ପରିବର୍ତ୍ତନ ହେବ ।"
ଇଟିଭି ଭାରତ, ଭୁବନେଶ୍ବର