ଭୁବନେଶ୍ବର: ଅଭ୍ୟାସଗତ ନିଶାଡିଙ୍କ ନଜରରେ ରାସ୍ତା କଡରେ ଲାଗିଥିବା ଫୁଲଗଛ । ହକି ବିଶ୍ବକପ ବେଳେ ରାସ୍ତାକଡର ସୌନ୍ଦର୍ଯ୍ୟକରଣ ପାଇଁ ବିଏମସି ଲଗାଯାଇଥିବା ଥିବା କାମିନୀ ଗଛକୁ କାଟି ନେଇ ବିକୁଥିଲେ ଦୁର୍ବୃତ୍ତ । ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସିବା ପରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଚୋରି ଗଛ ବିକ୍ରି ହେଉଥିବା ଦୁଇଟି ଦୋକାନକୁ ସିଲ କରିଛି ବିଏମସି । ବିଏମସିର କାର୍ଯ୍ୟାନୁଷ୍ଠାନ ସହ ମାମଲା ଏବେ ଥାନାରେ ମଧ୍ୟ ପହଞ୍ଚିଛି ।
ସୂଚନା ଅନୁଯାୟୀ, ଗତ ପୁରୁଷ ହକି ବିଶ୍ବକପ୍ ବେଳେ ଏ.ଜି ଛକରୁ କ୍ୟାପିଟାଲ ହସ୍ପିଟାଲ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ କାମିନୀ ଗଛ ଲଗାଯାଇଥିଲା । ଏହାର ରକ୍ଷଣାବେକ୍ଷଣ ପାଇଁ ବିଭିନ୍ନ ପଦକ୍ଷେପ ନେଉଥିଲା ବିଏମସି । କିଛି ଦିନ ହେବ ଏଜି ଛକ ପାଖରୁ କ୍ୟାପିଟାଲ ହସ୍ପିଟାଲ ଟ୍ରାଫିକ ପର୍ଯ୍ୟନ୍ତ ରାସ୍ତା ମଝିରେ ଲାଗିଥିବା କାମିନୀ ଗଛ ନିୟମିତ ଚୋରି ହେଉଥିବା ଦେଖିବାକୁ ମିଳିଥିଲା । ନିତିଦିନ କେହି ଦୁର୍ବୃତ୍ତ ଗଛକାଟି ନେଉଥିଲେ । ପ୍ରାଥମିକ ତଦନ୍ତରୁ ଏହା କିଛି ଅଭ୍ୟାସଗତ ନିଶାଖୋରଙ୍କ କାର୍ଯ୍ୟ ବୋଲି ଜଣାପଡିଥିଲା । ଏମାନେ ରାସ୍ତାକଡରୁ ଗଛ କାଟି ନେଇ ଫୁଲ ଦୋକାନରେ ବିକ୍ରି କରୁଥିଲେ । ଏନେଇ ବିଏମସିର ଏକ ଟିମ୍ ଏଜି ଛକ ନିକଟସ୍ଥ ଫୁଲ ଦୋକାନ ଗୁଡିକ ଉପରେ ଚଢ଼ାଉ କରିଥିଲା ।