ଭୁବନେଶ୍ବର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ବିଭାଗର କାର୍ଯ୍ୟକ୍ରମ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା । ଏଥିରେ ଭିନ୍ନକ୍ଷମ ସଶକ୍ତୀକରଣ ପାଇଁ ଭୁବନେଶ୍ବର ଓ ସୁନ୍ଦରଗଡ଼ରେ ଦୁଇଟି ବିଶ୍ଵସ୍ତରୀୟ 'ମନୋଦୟ' କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ପ୍ରକାଶ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ।
ଆୟୋଜିତ ପ୍ରେସମିଟ୍ରେ ମନ୍ତ୍ରୀ କହିଛନ୍ତି, "ମଧୁବାବୁ ପେନସନ ଯୋଜନାରେ ୧୪ ହଜାର ୭୧୯ ଜଣ ଅସହାୟ ଓ ସ୍ବାମୀ ପରିତ୍ୟକ୍ତା ମହିଳା, ୧୪୬୮ କିନ୍ନର, କୋଭିଡ ଆକ୍ରାନ୍ତ ପରିବାରର ୪୩ ଜଣ ଅସହାୟ ଶିଶୁ ଓ ୬୯୬ ବିଧବା ଉପକୃତ ହୋଇଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ୭ଟି ବାର୍ଦ୍ଧକ୍ୟ ଜନିତ ଭିନ୍ନକ୍ଷମ କେନ୍ଦ୍ର ଓ ୮୩ଟି ବୃଦ୍ଧାଶ୍ରମ କାର୍ଯ୍ୟ କରୁଛି । ୨୦୨୨ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଓ ଶ୍ରବଣ ସହାୟତାରେ ୨ ହଜାର ୯୭୪ ହିତାଧିକାରୀଙ୍କୁ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ କରାଯାଇଥିବା ବେଳେ ୬୮୫ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଶ୍ରବଣ ଯନ୍ତ୍ର ଯୋଗାଇ ଦିଆଯାଇଛି । ଭିନ୍ନକ୍ଷମମାନଙ୍କ ସଶକ୍ତିକରଣ ପାଇଁ ଭୁବନେଶ୍ବର ଓ ସୁନ୍ଦରଗଡ଼ରେ ଦୁଇଟି ବିଶ୍ବସ୍ତରୀୟ 'ମନୋଦୟ' କେନ୍ଦ୍ର (ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ) ସ୍ଥାପିତ ହୋଇଛି ।"