ଭୁବନେଶ୍ୱର: ସାପ ଉଦ୍ଧାର ଗାଇଡଲାଇନ ସଂଶୋଧନ ପାଇଁ ଦାବି କରିଛି ସ୍ନେକ ହେଲ୍ପଲାଇନ । ଅସିଦ୍ଧ ଗାଇଡଲାଇନକୁ ପ୍ରତ୍ୟାହାର କରିବା ସହ ଆଇନଗତ ତ୍ରୁଟି ସଂଶୋଧନ କରି ଆଉ ଥରେ ନୂତନ ଗାଇଡଲାଇନ ଜାରି କରିବା ପାଇଁ ହୋଇଛି ଦାବି । ଏନେଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଦାବି ଜଣାଇଛନ୍ତି ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ସାପ ଉଦ୍ଧାର ଓ ଥଇଥାନ ନିମନ୍ତେ ଗାଇଡଲାଇନ ଜାରି କରାଯାଇଛି । ଗାଇଡ ଲାଇନରେ ଡିଏଫଓ ମାନେ ବନ୍ୟପ୍ରାଣୀ ଆଇନର ଧାରା ୧୧ ଅନୁଯାୟୀ ସାପ ଧରାଳିମାନଙ୍କୁ ସାର୍ଟିଫିକେଟ ଦିଆଯିବ ବୋଲି ଦର୍ଶାଯାଇଛି । ତାହା ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ନୁହେଁ ।
ଗତ ଏପ୍ରିଲ ୧ ରେ ସଂଶୋଧିତ ଆଇନ ଲାଗୁ ହେବା ଦିନ ଠାରୁ ଧଣ୍ଡ, ଢମଣା, ନାଗ, ତମ୍ପ, ଚନ୍ଦନ ବୋଡା, ଅଜଗର, ଅଲିଭ ଧଣ୍ଡ ଆଦି ସାପମାନଙ୍କୁ ତଫସିଲ ୧ ତାଲିକାରେ ରଖାଯାଇଛି । ଏଥିନିମନ୍ତେ କେବଳ ରାଜ୍ୟର ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ହିଁ ଅନୁମତି ଦେବା ପାଇଁ କ୍ଷମତା ପ୍ରାପ୍ତ । ସେହିପରି ବନ୍ୟ ପ୍ରାଣୀ ଆଇନର ଧାରା ୧୨ର ଉପଧାରା (BB)ର (I) ଅନୁସାରେ ହିଁ ସାପ ଉଦ୍ଧାର ପାଇଁ ଅନୁମତି ଦିଆ ଯାଇପାରିବ । ତାହା କେବଳ ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ କ୍ଷମତା ଅନ୍ତର୍ଭୁକ୍ତ । ଡିଏଫଓଙ୍କର ଆଇନଗତ କ୍ଷମତା ନାହିଁ । ତେଣୁ ଗାଇଡଲାଇନଟି ଅସିଦ୍ଧ ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।
ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ,"ଗତକାଲି ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକଙ୍କ ଅଫିସରୁ ଏକ ଗଣମାଧ୍ୟମରେ ବିଜ୍ଞାପନ ଦିଆଯାଇଛି । ନିୟମ ଦୃଷ୍ଟିରୁ ପ୍ରଥମେ ପୁରୁଣା ଗାଇଡଲାଇନରେ ସଂଶୋଧନ କରି ଡିଏଫଓ ସ୍ଥାନରେ ମୁଖ୍ୟ ବନ୍ୟ ପ୍ରାଣୀ ତତ୍ତ୍ଵାବଧାରକ ଏବଂ ବନ୍ୟପ୍ରାଣୀ ଆଇନର ଧାରା ୧୧ ବଦଳରେ ଧାରା ୧୨ ଅନୁଯାୟୀ ନୂତନ ଗାଇଡଲାଇନ ଜାରୀ କରି ଏହାକୁ କାର୍ଯ୍ୟକାରୀ କରିବା କଥା । ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ବନ୍ୟପ୍ରାଣୀଙ୍କୁ ଧରିବା ବା ମାରିବା ପାଇଁ ଅନୁମତି ଦେବା ପାଇଁ ଧାରା ୧୧ର ପ୍ରୟୋଗ କରାଯାଇଥାଏ । ତେଣୁ ଏହି ଅସିଦ୍ଧ ଗାଇଡଲାଇନକୁ ପ୍ରତ୍ୟାହାର କରିବା ସହ ଆଇନଗତ ତ୍ରୁଟି ସଂଶୋଧନ କରିବାର ଆବଶ୍ୟକତା ରହିଛି । "
ଏହା ମଧ୍ୟ ପଢନ୍ତୁ ......ବନ ବିଭାଗ ଗାଇଡଲାଇନ ଆଇନତଃ ଅସିଦ୍ଧ ! ପ୍ରତ୍ୟାହାର ସହ ସଂଶୋଧନ ଦାବି କଲା ସ୍ନେକ ହେଲ୍ପଲାଇନ