ଓଡିଶା

odisha

By ETV Bharat Odisha Team

Published : Aug 25, 2023, 2:09 PM IST

ETV Bharat / state

ସାପ ଉଦ୍ଧାର ଓ ଥଇଥାନ ଗାଇଡଲାଇନରେ ତ୍ରୁଟି ! ସଂଶୋଧନ ଦାବି କଲା ସ୍ନେକ ହେଲ୍ପଲାଇନ

ବନ ବିଭାଗ ଜାରି କରିଥିବା ସାପ ଉଦ୍ଧାର ଓ ଥଇଥାନ ଗାଇଡଲାଇନରେ ବ୍ୟାପକ ତ୍ରୁଟି ଥିବା ଅଭିଯୋଗ ହୋଇଛି। ତେଣୁ ଏହାର ସଂଶୋଧନ ପାଇଁ ଦାବି କରାଯାଇଛି। ଅଧିକ ପଢନ୍ତୁ

ସାପ ଉଦ୍ଧାର ଗାଇଡଲାଇନରେ ତ୍ରୁଟି ଅଭିଯୋଗ
ସାପ ଉଦ୍ଧାର ଗାଇଡଲାଇନରେ ତ୍ରୁଟି ଅଭିଯୋଗ

ସାପ ଉଦ୍ଧାର ଗାଇଡଲାଇନରେ ତ୍ରୁଟି ଅଭିଯୋଗ

ଭୁବନେଶ୍ବର:ବନ ବିଭାଗ ଜାରି କରିଥିବା ସାପ ଉଦ୍ଧାର ଓ ଥଇଥାନ ଗାଇଡଲାଇନ ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ସଂଶୋଧନ ପାଇଁ ଦାବି କରିଛି ସ୍ନେକ ହେଲ୍ପଲାଇନ। ଗତ ୯ ତାରିଖରେ ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ରାଜ୍ୟରେ ଜନବସତି ମଧ୍ୟକୁ ପଶି ଆସୁଥିବା ସାପମାନଙ୍କର ଉଦ୍ଧାର ଓ ଥଇଥାନ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି । ସେହି ଗାଇଡଲାଇନର ଆଭିମୁଖ୍ୟ ଏବଂ ନିୟମାବଳୀ ବିଷୟରେ ରାଜ୍ୟର ସାପ ଉଦ୍ଧାରକାରୀମାନଙ୍କୁ ସଚେତନ କରାଇବା ପାଇଁ ସ୍ନେକ ହେଲ୍ପଲାଇନ ତରଫରୁ ଏକ କର୍ମଶାଳା ବୁଦ୍ଧ ମନ୍ଦିର ପରିସରରେ ଆୟୋଜନ କରାଯାଇଥିଲା।

ସ୍ନେକ ହେଲ୍ପଲାଇନ ସ୍ବେଚ୍ଛାସେବୀମାନଙ୍କ ସମେତ ରାଜ୍ୟର ୧୦୩ ଜଣ ସାପ ଉଦ୍ଧାରକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନିୟମାବଳୀ ଗୁଡିକର କାର୍ଯ୍ୟକାରିତା, ଉପଯୋଗୀତା ଏବଂ ଅନୁପାଳନ ସମୟରେ ଦେଖାଦେବାକୁ ଥିବା ସମ୍ଭାବ୍ୟ ସମସ୍ୟା ବିଷୟରେ ସମସ୍ତେ ନିଜର ମତ ରଖିଥିଲେ । ତେବେ ତ୍ରୁଟି ଭିତରେ ନାମକରଣରେ ପ୍ରଥମ ତ୍ରୁଟି ରହିଥିବା କୁହାଯାଉଛି । ପ୍ରଥମ ଗୁରୁତର ତ୍ରୁଟି ହେଲା Snake handler ଶବ୍ଦ । ସାପ ହ୍ୟାଣ୍ଡଲିଙ୍ଗ ହେଉଛି ସାପ ଉଦ୍ଧାର କାମର ଏକ ସୋପାନ ମାତ୍ର । ସାପକୁ ଖୋଜିବା, ଧରିବା, ବ୍ୟାଗରେ ଭର୍ତ୍ତି କରିବା, ଯଦି ଦରକାର ପଡେ ଆବଶ୍ୟକୀୟ ଚିକିତ୍ସା ଯୋଗାଇବା ଏବଂ ସୁରକ୍ଷିତ ଅନ୍ୟତ୍ର ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡିବା ଆଦି ସମସ୍ତ କାମର ସମାହାରକୁ ହିଁ ‘ଉଦ୍ଧାର’ ବା Rescue କୁହାଯାଏ । ତେଣୁ ସାପ ଉଦ୍ଧାରକାରୀମାନଙ୍କୁ ସ୍ନେକ ହ୍ୟାଣ୍ଡଲର ବୋଲି କହିବା ବେଆଇନ ।

ଦ୍ୱିତୀୟତଃ ଆଇନଗତ ତ୍ରୁଟି । ବନ୍ୟ ପ୍ରାଣୀ ଆଇନର ଭୁଲ ଧାରାକୁ ଭିତ୍ତି କରି ପ୍ରସ୍ତୁତ କରାଯିବା ସହିତ ଅନେକ ଆଇନଗତ ତ୍ରୁଟି ରହିଛି, ଯାହା ଗାଇଡଲାଇନକୁ ଅସିଦ୍ଧ ପ୍ରମାଣିତ କରୁଛି । ତୃତୀୟରେ ଭୁଲ ଧାରାକୁ ଭିତ୍ତି କରି ଗାଇଡ ଲାଇନ ପ୍ରସ୍ତୁତ କରାଯାଇଛି। ସେହିପରି ଗାଇଡଲାଇନଟି ବନ୍ୟ ଜୀବ ସଂରକ୍ଷଣ ଆଇନ, ୧୯୭୨ର ଧାରା 11କୁ ଭିତ୍ତି କରି ପ୍ରସ୍ତୁତ କରାଯାଇଛି, ଏବଂ ମୁଖ୍ୟ ବନ୍ୟଜୀବ ତତ୍ତ୍ଵାବଧାରକ କିମ୍ବା ତାଙ୍କର ଅଧିକୃତ ଅଧିକାରୀ ଅନୁମତି ଦେଇପାରିବେ ବୋଲି ଉଲ୍ଲେଖ କରାଯାଇଛି ।

ଏନେଇ ସ୍ନେକ ହେଲ୍ପଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, " ଯଦି କୌଣସି ବନ୍ୟ ପ୍ରାଣୀ ମଣିଷଙ୍କ ଜୀବନ ପାଇଁ ବିପଦ ପାଲଟି ଯାଇଥାଏ ସେହି କ୍ଷେତ୍ରରେ ଧାରା ୧୧ ପ୍ରୟୋଗ କରି କୌଣସି ରାଜ୍ୟର ମୁଖ୍ୟ ବନ୍ୟଜୀବ ତତ୍ତ୍ଵାବଧାରକ ସେହି ପ୍ରାଣୀକୁ ମାରିବା ପାଇଁ ବା କୌଣସି ଚିଡିଆଖାନାରେ ରଖିବା ପାଇଁ ଅନୁମତି ଦେଇଥାନ୍ତି । କିନ୍ତୁ ଧାରା ୧୧, ସାପ ଉଦ୍ଧାର ଓ ଥଇଥାନ ପାଇଁ ନିରାଧାର । ଜନବସତି ଭିତରେ ପଶିଥିବା ସାପମାନଙ୍କୁ ଉଦ୍ଧାର କରି ଅନ୍ୟତ୍ର ନେଇ ସୁରକ୍ଷିତ ଛାଡିବା କାମ ପାଇଁ ବନ୍ୟ ପ୍ରାଣୀ ଆଇନର ଧାରା 12 (bb) (Scientific management) ରେ ପ୍ରାବଧାନ ଅଛି ।"

ଏହା ବି ପଢନ୍ତୁ...ବିରଳ ପ୍ରଜାତିର ସାପ ଉଦ୍ଧାର, ଜନସଚେତନତା ଉପରେ ଗୁରୁତ୍ବ ଦେବାକୁ ଦାବି


"ସେହିପରି ସରକାରୀ କର୍ମଚାରୀଙ୍କ ପାଇଁ ଅନୁମତି ଲୋଡା ନାହିଁ। ସାପଙ୍କୁ ସୁରକ୍ଷା ଦେବା ନାଗରିକର ମୌଳିକ କର୍ତ୍ତବ୍ୟ। ଭାରତୀୟ ସମ୍ବିଧାନର ଅନୁଛେଦ 51 ରେ ଉଲ୍ଲେଖ ଥିବା ନାଗରିକମାନଙ୍କର ୧୧ ଟି ମୌଳିକ କର୍ତ୍ତବ୍ୟ ଭିତରେ ୭ ନମ୍ବର ସ୍ଥାନରେ ସ୍ପଷ୍ଟ ଭାବରେ ଲେଖାଯାଇଛି ବନ୍ୟ ପ୍ରାଣୀଙ୍କୁ ସୁରକ୍ଷା ଦେବା ପ୍ରତ୍ୟେକ ଭାରତୀୟ ନାଗରିକର ମୌଳିକ କର୍ତ୍ତବ୍ୟ। ସାପ ମଧ୍ୟ ଏକ ବନ୍ୟ ପ୍ରାଣୀ ହୋଇଥିବାରୁ ଯଦି କେଉଁ ଲୋକଙ୍କ ଘରେ ସାପଟିଏ ପଶି ଯାଇଛି ଏବଂ କେହି ବ୍ୟକ୍ତି ସାପକୁ ଘରୁ ଧରି ନେଇ ବାହାରେ ବଣବୁଦାରେ ଛାଡି ଦେଇଛି, ସେ ନିଜର ମୌଳିକ କର୍ତ୍ତବ୍ୟ ପାଳନ କରିଛି। ମାତ୍ର ମୌଳିକ କର୍ତ୍ତବ୍ୟ ପାଳନ ପାଇଁ କାହା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ।" ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନ ସମ୍ପାଦକ।

"ଆଉ ଏକ ତ୍ରୁଟି ହେଉଛି ବନ କର୍ମଚାରୀ ଦରମା ନେବେ। ସାପ ଉଦ୍ଧାରକାରୀ ସ୍ବେଚ୍ଛାସେବୀମାନେ ମାଗଣା କାମ କରିବେ । ଏହି ନିୟମ ଆଦୌ ଗ୍ରହଣୀୟ ନୁହେଁ, ତେଣୁ ଏହାର ସଂଶୋଧନ କରାଯାଉ। ସେହିପରି ଇନସୁରାନ୍ସ ପ୍ରିମିୟମ୍ କିଏ ଭରିବ?" ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି "ସ୍ୱେଚ୍ଛାସେବୀଙ୍କୁ ବାଧ୍ୟ କରା ଯାଇ ପାରିବ ନାହିଁ କିମ୍ବା ଟ୍ରାକିଂ କରି ହେବ ନାହିଁ। ତେଣୁ ଗାଇଡଲାଇନରେ ଥିବା ତ୍ରୁଟି ଗୁଡିକୁ ସଂଶୋଧନ କରିବା ସହିତ ସାପ ଉଦ୍ଧାରକାରୀମାନଙ୍କ ସ୍ଵାର୍ଥ ରକ୍ଷା ପାଇଁ ପ୍ରାଧାନ୍ୟ ଦେବା ଦାବିରେ ସମସ୍ତ ସାପ ଉଦ୍ଧାରକାରୀମାନଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଖୁବଶୀଘ୍ର ସରକାରଙ୍କୁ ଦିଆଯିବ" ବୋଲି ସ୍ନେକ ହେଲ୍ପଲାଇନର ସଭାପତି ଡାକ୍ତର ଶୌର୍ଯ୍ୟ ରଞ୍ଜନ ପରିଜା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details