ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ଅଞ୍ଚଳରୁ ଉଦ୍ଧାର ହୋଇଥିବା ନାଗ ସାପର ଅଣ୍ଡା ଫୁଟି ଛୁଆ ବାହାରିଛି । ଗତକାଲି ଅଣ୍ଡା ଫୁଟିବା ପ୍ରକ୍ରିୟା ଆରମ୍ଭ ହୋଇ ଆଜି ୨୫ଟି ଅଣ୍ଡା ଫୁଟି ଛୁଆ ହୋଇଛନ୍ତି । ଅଣ୍ଡା ଗୁଡ଼ିକୁ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ବ୍ୟବସ୍ଥା କରିଥିଲେ । ସବୁ ଛୁଆଙ୍କୁ ଆଜି ସନ୍ଧ୍ୟାରେ ବନ କର୍ମଚାରୀଙ୍କ ଉପସ୍ଥିତିରେ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି ।
ପୁରୁଣା ଭୁବନେଶ୍ବରର ରଥ ରୋଡରେ ରହିଛି ସୁଭଦ୍ରା ସାନି ପ୍ଲାଜା । ଗତ ୫ ତାରିଖରେ ପ୍ଲାଜାର ମାଲିକ ବିଭୂତି ଭୂଷଣ ଦାସ ବିକ୍ରି ପାଇଁ ଗୋଦାମରୁ ପାଇପ ବାହାର କରୁଥିଲେ । ସେତେବେଳେ ସେ ଏକ ନାଗ ସାପକୁ ଦେଖିବା ପାଇଁ ପାଇଥିଲେ । କାମ ବନ୍ଦ କରି ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ ବିଭୂତି । ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ କୁମାର ବରାଳ ଘଟଣାସ୍ଥଳରେ ପହଞ୍ଚି ପାଇପ ଗଦାକୁ ହଟେଇବା ପରେ କିଛି ଅଣ୍ଡା ଦେଖିବାକୁ ପାଇଥିଲେ । ସବୁ ପାଇପ କାଢିବା ପରେ ନାଗ ସାପ ମଧ୍ୟ ଦେଖାଯାଇଥିଲା । ଅରୁଣ ପ୍ରାୟ ୪ ଫୁଟ ଲମ୍ବର ନାଗୁଣୀକୁ ଉଦ୍ଧାର କରିଥିଲେ । ଅଣ୍ଡା ଗୁଡିକୁ ଅନ୍ୟତ୍ର ନେବା ପାଇଁ ଅରୁଣଙ୍କ ପାଖରେ ବିଭୂତିଙ୍କ ଗୋଦାମ କର୍ମଚାରୀ ମାନେ ନେହୁରା ହୋଇଥିଲେ । ଯଦି ନନେବେ ଅଣ୍ଡା ଗୁଡିକ ଆମେ ସବୁ ନଷ୍ଟ କରିଦେବୁ ବୋଲି ସେମାନେ ମଧ୍ୟ କହିଥିଲେ ।
କୃତ୍ରିମ ଉପାୟରେ ଅଣ୍ଡା ଫୁଟାଇଲେ ସ୍ନେକ ହେଲ୍ପ ଲାଇନ: ଉଦ୍ଧାର ନାଗୁଣୀକୁ ଅରୁଣ ସହର ବାହାରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦେଇଥିଲେ । ସେହିପରି ଅଣ୍ଡା ଗୁଡିକୁ ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟକୁ ଆଣିଥିଲେ । ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଅଣ୍ଡା ଗୁଡ଼ିକୁ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ବ୍ୟବସ୍ଥା କରିଥିଲେ । ଗତକାଲି ଅଣ୍ଡା ଗୁଡ଼ିକ ଫୁଟିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଆଜି ୨୫ଟି ଯାକ ଅଣ୍ଡା ଫୁଟିଛି । ୨୫ ଅଣ୍ଡାରୁ ଜୀବନ୍ତ ସାପ ବହାରିଛନ୍ତି । ପ୍ରବଳ ଖରା ହେଉଥିବାରୁ ସବୁ ଛୁଆଙ୍କୁ ଆଜି ସନ୍ଧ୍ୟାରେ ପ୍ରାକୃତିକ ଆବାସସ୍ଥଳୀରେ ଛଡାଯାଇଛି । ବନ କର୍ମଚାରୀଙ୍କ ଉପସ୍ଥିତିରେ ଏହି ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ।