ଓଡିଶା

odisha

ETV Bharat / state

ଦୀପ ତଳ ଅନ୍ଧାର; ଡ୍ରେନ ପାଣି ଘେରରେ ଜୀବନ: ସ୍ମାର୍ଟସିଟିରେ ବିକାଶର ବିକଳ ଚିତ୍ର, ବସ୍ତି ବାସିନ୍ଦାଙ୍କୁ ଭଣ୍ଡାଉଛି BMC ! - ସ୍ମାର୍ଟ ସିଟିର ଅସଲ ଚିତ୍ର

ସ୍ମାର୍ଟସିଟିର ଅସଲ ଚିତ୍ର । ୪ ଦିନ ହେବ ପାଣିଘେରରେ ରହିଛି ଭୁବନେଶ୍ବରର ନନ୍ଦନକାନନ ସ୍ଥିତ ବନଫୁଲ ବସ୍ତି ଅଞ୍ଚଳ । ବର୍ଷା କମିଛି ହେଲେ ସୁଧୁରିନି ସ୍ଥିତି । ଡ୍ରେନ ପାଣି ଘେରରେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଲୋକେ ପରିବାର ସହ ଚଳୁଛନ୍ତି । ଅଧିକ ପଢ଼ନ୍ତୁ

water logging situation in slum area
ପାଣି ଘେରରେ ବସ୍ତି ବାସିନ୍ଦା

By

Published : Aug 4, 2023, 8:47 PM IST

ପାଣି ଘେରରେ ବସ୍ତି ବାସିନ୍ଦା

ଭୁବନେଶ୍ବର: ଲଘୁଚାପ ଜନିତ ବର୍ଷା ସାରା ରାଜ୍ୟକୁ ବେହାଲ କରି ପକାଇଛି । ଏଥିରୁ ବାଦ ପଡ଼ିନି ସ୍ମାର୍ଟ ସିଟି ଭୁବନେଶ୍ବର । ରାଜଧାନୀରେ ମଧ୍ୟ ବର୍ଷା ବିପତ୍ତି ଦେଖିବାକୁ ମିଳିଥିଲା ।ଚାରିଆଡ଼େ କୃତ୍ରିମ ନଦୀର ଭ୍ରମ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ବର୍ଷା କମିଛି, ସ୍ଥିତି ମଧ୍ୟ ସୁଧୁରିଛି । ହେଲେ ଦୂର ହୋଇନି ବସ୍ତି ବାସିନ୍ଦାଙ୍କ ଦୁର୍ଦ୍ଦଶା । ଗତ ଚାରିଦିନ ଧରି ଡ୍ରେନ ପାଣି ଘେରରେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଲୋକେ ପରିବାର ସହ ଚଳୁଛନ୍ତି । ଦୀପ ତଳ ଅନ୍ଧାର ପରି ବିଏମସିର ଆଖି ଆଢୁଆଳରେ ରହିଯାଇଛି ଭୁବନେଶ୍ବର ସ୍ଥିତ ବନଫୁଲ ବସ୍ତି ଅଞ୍ଚଳ ।

ଭୁବନେଶ୍ବରର ନନ୍ଦନକାନନ ସ୍ଥିତ ବନଫୁଲ ବସ୍ତି ଅଞ୍ଚଳ । ଏଠାରେ ପ୍ରାୟ ୨୦୦ ପରିବାର ବସବାସ କରୁଛନ୍ତି । ପ୍ରତିବର୍ଷ ବର୍ଷା ଆସିଲେ ଲୋକଙ୍କ ଭିତରେ ଛନକା ପଶେ । ଘର ଭିତରେ ଲହଡ଼ି ଭାଙ୍ଗେ ଆଣ୍ଠୁଏ ଉଚ୍ଚର ପାଣି । ବର୍ତ୍ତମାନ ବି ସ୍ଥିତି ସମାନ । ଲଗାଣ ବର୍ଷା ହୋଇ ଛାଡ଼ି ସାରିଥିବା ବେଳେ ଏବେବି ଏଠାକାର ଲୋକେ ପାଣି ଘେରରେ ରହିଛନ୍ତି । ଘର ଭିତରେ ଡ୍ରେନ ପାଣି ଲହଡ଼ି ମାରୁଛି । ନା ଘରେ ରୋଷେଇ କରିପାରୁଛନ୍ତି ନା ଶୋଇ ପାରୁଛନ୍ତି । ଦିନ ରାତି ଘର ଭିତରୁ ପାଣି କାଢ଼ିବାରେ ଲାଗିଛନ୍ତି । ଘରେ ଓ ବାହାରେ ଆଣ୍ଠୁଏ ଉଚ୍ଚର ନାଳ ନର୍ଦ୍ଦମା ପାଣି ଜମି ରହିଥିବା ବେଳେ ଲୋକେ ଭୋକ ଉପାସରେ ବସ ଷ୍ଟାଣ୍ଡରେ ଯାଇ ଶୋଉଛନ୍ତି । ପିଲାମାନେ ସ୍କୁଲ ଯାଇ ପାରୁନାହାନ୍ତି । ଅଗ୍ନିଶମ ବିଭାଗର ପମ୍ପ ଗାଡି ଆସି ଜଳ ନିସ୍କାସନ ପାଇଁ ଚେଷ୍ଟା କରିଥିଲେ ହେଲେ ଫଳ ଶୂନ । ୪ ଦିନ ଧରି ଡ୍ରେନ ପାଣି ଘେରରେ ରହି କେହି କେହି ଜ୍ବରରେ ପୀଡ଼ିତ ହେଲେଣି ତ ଅନ୍ୟ କେତେକ ଚର୍ମରୋଗରେ ଘାଣ୍ଟି ହେଲେଣି । ହେଲେ ବିଡ଼ମ୍ବନାର ବିଷୟ ବର୍ତ୍ତମାନ ସୁଦ୍ଧା ଏମାନଙ୍କ ଉପରେ ବିଏମସିର କୃପା ଦୃଷ୍ଟି ପଡ଼ିନି ।

ଭୁବନେଶ୍ବର:ପ୍ରବଳ ବର୍ଷାରେ ବେହାଲ ଭୁବନେଶ୍ବର, BMCର ଅପାରଗତାକୁ ଦାୟୀ କଲେ ଲୋକେ

ରାସ୍ତାର ପାଣିକୁ ବିଏମସି ଆଣି ବସ୍ତି ଭିତରେ ସଂଯୋଗ କରି ମୁକୁଳା ଛାଡି ଦେଇଛି । ଫଳରେ ଡ୍ରେନର ଉଛୁଳା ପାଣି ଘରେ ପଶୁଥିବା ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି । ଏନେଇ ସେମାନେ କହିଛନ୍ତି, " ଏନେଇ ସ୍ଥାନୀୟ କର୍ପୋରେଟରଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ସୁଫଳ ମିଳିନାହିଁ । ଘର ଖଣ୍ଡିଏ ପାଇଁ ଅନେକ ଥର ଦାବି କରିଛୁ । ହେଲେ ଭୋଟ ବେଳେ ଦେଖା ଦେଇ ଅନ୍ୟ ସମୟରେ ସେମାନଙ୍କର ଦେଖା ନାହିଁ ।"

ରାଜଧାନୀ ଭୁବନେଶ୍ବରକୁ ସ୍ମାର୍ଟସିଟି ଘୋଷଣା କରିବା ଦିନଠାରୁ ଅନେକ କ୍ଷେତ୍ରରେ ବିକାଶ ଘଟିଛି ସତ । ହେଲେ ଆଜି ବି ବସ୍ତି ବାସିନ୍ଦାଙ୍କୁ ଦୁଃଖ ଦୂର ହୋଇନି । ଚକଚକ ସହର ଭିତରେ ଆଜି ବି ଏମାନେ ଅସ୍ବାସ୍ଥ୍ୟକର ପରିବେଶ ଭିତରେ ରହିଛନ୍ତି । ପ୍ରଶାସନର ବି ଏମାନଙ୍କ ପ୍ରତି ନିଘା ନାହିଁ । କେବେ ବିଏମସିର କୃପା ଦୃଷ୍ଟି ଏମାନଙ୍କ ଉପରେ ପଡୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details