ଭୁବନେଶ୍ବର: ରାଜଧାନୀରେ ଜମିଥିଲା ବସ୍ତି ବାସିନ୍ଦାଙ୍କ ହୋଲି ସେଲିବ୍ରେସନ । ନିଆରା ହୋଲି ସେଲିବ୍ରେସନ ଦେଖିବାକୁ ମିଳିଥିଲା ଅଶୋକ ନଗରରେ । ଯେଉଁଠି ଏକାଠି ହୋଇଥିଲେ ଏକାଧିକ ବସ୍ତିର ଯୁବକ ଓ ଯୁବତୀ । ଫଳରେ ଏଠାରେ ଭାଇଚାରାର ହୋଲି ସେଲିବ୍ରେସନ କରାଯାଇଥିଲା । ଏକାଠି ହୋଲି ଖେଳିବା ସହ ଭାଙ୍ଗିଥିଲେ ମାଟି ହାଣ୍ଡି । ଯାହାକି ବସ୍ତିରେ ଭାଇଚାରା ପରମ୍ପରାର ଏକ ବାର୍ତ୍ତା ଦେଇଛି ।
ତେବେ ଦିନ ଥିଲା ଅଶୋକ ନଗରର ଏହି ସ୍ଥାନରେ ଅନେକ ସମୟରେ କଳି ଝଗଡ଼ା ଓ ମାରପିଟ ଏବଂ ଗୁଣ୍ଡାଗର୍ଦି ହେଉଥିଲା । ଧିରେ ଧିରେ ଏବେ ବସ୍ତିରେ ସ୍ଥିତି ସୁଧୁରିଛି । କ୍ୟାପିଟାଲ ଥାନା ଅଞ୍ଚଳର ଏହି ରେଲୱେ ଟ୍ରାକ କଡ଼ରେ ରହିଛି ୫ରୁ ୬ଟି ଛୋଟମୋଟ ବସ୍ତି । ଫାଳିକିଆ ବସ୍ତି ଭାବେ ବେଶ ପରିଚିତ ଏହି ଅଞ୍ଚଳ । ଅନେକ ସମୟରେ ରେଲୱେ କଡର ଆରପଟ ଲକ୍ଷ୍ମିସାଗର କଦଳୀ ଗୋଦାମ ବସ୍ତି ଓ ବଡଗଡ ଥାନା ପଟ ଗୌତମ ନଗର ବସ୍ତି ସହ ଉତ୍ତେଜନାମୂଳକ ପରିସ୍ଥିତି ଥାଏ । କିନ୍ତୁ ହୋଲି ସଭିଙ୍କୁ ଏକାଠି କରିଛି । ଅଶୋକ ନଗର ବସ୍ତି ପକ୍ଷରୁ ଆୟୋଜିତ ହୋଲି ସେଲିବ୍ରେସନ ପାଇଁ ଯୋଗଦେଇଥିଲେ ବିଭିନ୍ନ ବସ୍ତିର ଯୁବପିଢି । ଆଉ ଏକାଠି ହୋଇ ନିଆରା ଢଙ୍ଗରେ କିଏ ଅଟାରେ ତ କିଏ ଅବିରରେ, ଆଉ କିଏ ବାଲିରେ ହୋଲି ଖେଳିଥିଲେ । ଏପରିକି ମାଟି ହାଣ୍ଡି ଭାଙ୍ଗିବା ଦୃଶ୍ୟ ବେଶ ମନୋରମ ଥିଲା । ଯେତେବେଳେ ଯୁବକ ମାନେ ଏକାଠି ହୋଇ ମଟକା ଭାଙ୍ଗିବାକୁ ମାନବ ଶୃଙ୍ଖଳ ତିଆରି କରି ଶଗଡ଼ି ପରି ଉପରକୁ ଉଠିବାକୁ ଚେଷ୍ଟା କରୁଥିଲେ, ଅନ୍ୟପଟେ କିଛି ଯୁବପିଢି ସେମାନଙ୍କୁ ସର୍ବତ ପାଣିର ହୋଲି ପକାଇ ସେମାନଙ୍କୁ ଖସାଇବାକୁ ଚେଷ୍ଟା କରିଥିଲେ । ପାଖାପାଖି ଅଧଘଣ୍ଟାର ପରିଶ୍ରମ ପରେ ଶେଷରେ ମଟକା ହାଣ୍ଡି ଭାଙ୍ଗିଥିଲା ।