ଭୁବନେଶ୍ବର: ରାଜ୍ୟରେ ଆୟୋଜିତ ହେବାକୁ ଯାଉଛି ସ୍କିଲ୍ଡ ଇନ ଓଡ଼ିଶା କନକ୍ଲେଭ ୨୦୨୩ । ଏପ୍ରିଲ ୨୦ରୁ ଆରମ୍ଭ ହେବ ସ୍କିଲ୍ଡ ଇନ ଓଡ଼ିଶା କନକ୍ଲେଭ । କନକ୍ଲେଭ ଆୟୋଜନ ପାଇଁ ମଞ୍ଚେଶ୍ବରସ୍ଥିତ ବିଶ୍ବ ଦକ୍ଷତା କେନ୍ଦ୍ରରେ ରାଜ୍ୟର ସମସ୍ତ ପ୍ରମୁଖ ସଚିବ ଏବଂ ସଚିବମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମର ଅଧ୍ୟକ୍ଷତାରେ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଏହାସହ ସହଯୋଗ ଲାଗି ସେ ସମସ୍ତ ବିଭାଗକୁ ଅନୁରୋଧ କରିଛନ୍ତି ।
ଆସନ୍ତା ଏପ୍ରିଲ ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ ପରିସରରେ ସ୍କିଲ୍ଡ ଇନ୍ ଓଡ଼ିଶା କନକ୍ଲେଭ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ବିଭାଗର ପ୍ରମୁଖ ସଚିବ / ସଚିବମାନଙ୍କୁ ଜାତୀୟସ୍ତରର ଅନନ୍ୟ ଏହି ସ୍କିଲ୍ କନକ୍ଲେଭ୍ର ଅଂଶବିଶେଷ ହେବା ପାଇଁ ଅନୁରୋଧ କରିଥିଲେ ସିଏସ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସିଏସ କହିଛନ୍ତି ଯେ, ''ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ସମ୍ବଳର ଅଭାବ ନାହିଁ । ସ୍କିଲ୍ ଇନ୍ ଓଡ଼ିଶା ମିଶନକୁ ଦେଶର ଅନ୍ୟତମ ଶ୍ରେଷ୍ଠ ମିଶନ ଭାବେ ବିକଶିତ କରିବା ପାଇଁ ବିଶ୍ବ ଦକ୍ଷତା କେନ୍ଦ୍ର ଓ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଉଦ୍ୟମ ବେଶ୍ ପ୍ରଶଂସନୀୟ । ଏକ ବିଶାଳ ଓଡିଶା ସ୍କିଲ୍ କନ୍କ୍ଲେଭ ଇଭେଣ୍ଟ ଆୟୋଜନରେ ସମସ୍ତ ବିଭାଗକୁ ସହଯୋଗ ଲୋଡା ।''
ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ତଥା ବିଶ୍ବ ଦକ୍ଷତା କେନ୍ଦ୍ରର ଅଧ୍ୟକ୍ଷ ସୁବ୍ରତ ବାଗ୍ଚୀ ସ୍କିଲ୍ଡ ଇନ୍ ଓଡ଼ିଶାର ମିଶନ୍, ଭିଜନ୍ ଏବଂ ଉଦ୍ଦେଶ୍ୟ ଉପରେ ନିଜର ବକ୍ତବ୍ୟ ରଖି ସ୍କିଲ ଇକୋସିଷ୍ଟମର ପ୍ରତ୍ୟେକଟି ମୁଖ୍ୟ ଦିଗ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟ ସ୍ତରରେ ଛାତ୍ରମାନଙ୍କ ପାଇଁ କ୍ୟାରିୟର ପରାମର୍ଶ, ସରକାରୀ ତଥା ପଲିଟେକ୍ନିକରେ ଶିକ୍ଷାର ଗୁଣବତ୍ତା ପରିବର୍ତ୍ତନ, ବିଶ୍ବସ୍ତରରେ ଉତ୍କର୍ଷ ହାସଲ କରିଥିବା ବିଶ୍ବ ଦକ୍ଷତା କେନ୍ଦ୍ରର ଛାତ୍ରମାନଙ୍କ ସଫଳତାର କାହାଣୀ ଉପରେ ଆଲୋକପାତ କରିଥିଲେ । ସେମାନଙ୍କୁ ରୋଲ୍ ମଡେଲ୍ ରୂପେ ପ୍ରସ୍ତୁତ କରିବା, କୃଷି କ୍ଷେତ୍ରରେ ଦକ୍ଷତା ବିକାଶ, ମିଶନ୍ ଶକ୍ତିର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ଦକ୍ଷ କରିବା ଏବଂ ସେମାନଙ୍କୁ ଉଦ୍ୟୋଗୀ ଦକ୍ଷତାରେ ସଶକ୍ତ କରିବା, ଓଡିଶା ସ୍କିଲ କନ୍କ୍ଲେଭ୍କୁ ବିଶ୍ବସ୍ତରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଭାବେ ଗଢ଼ି ତୋଳିବାକୁ ସେ ଆହ୍ବାନ ଦେଇଥିଲେ ।