ଭୁବନେଶ୍ବର: ରାଜଧାନୀରେ ହକି ବିଶ୍ବକପ ସାଙ୍ଗକୁ ଡଟ ଫେଷ୍ଟର ମଜା ନେଉଛନ୍ତି ରାଜଧାନୀବାସୀ । ଶୁକ୍ରବାର ଷଷ୍ଠ ସନ୍ଧ୍ୟା ଥିବା ବେଳେ ଆଜି ସପ୍ତମ ଦିନରେ ପହଞ୍ଚିଛି ଡଟ ଫେଷ୍ଟିଭାଲ । ଗତକାଲିର ସନ୍ଧ୍ୟା ବେଶ ମନମୁଗ୍ଧକର ଥିଲା । ଏଲଓଏଲ ଡଟ ଫେଷ୍ଟ ମଞ୍ଚରେ ଲୋକଙ୍କୁ ହସାଇ ହସାଇ ବେଦମ କଲେ ଲୋକପ୍ରିୟ ଷ୍ଟାଣ୍ଡଅପ କମେଡିଆନ ସୁନିଲ ଗ୍ରୋଭର । ଏଥିସହ ରାଜଧାନୀରେ ଶୀତୁଆ ରାତିକୁ ଗଣ୍ଠର ଯାଦୁରେ ରଙ୍ଗୀନ କଲେ ଶିଳ୍ପା ରାଓ ଓ ଶଶାଙ୍କ ଶେଖର ।
ଶଶାଙ୍କ ଶେଖରଙ୍କ ଗୀତରେ ନାଚିଲେ ଦର୍ଶକ:ପ୍ରଥମେ ଶଶାଙ୍କ ଶେଖର ଆହେ ନୀଳ ଶୈଳ ଗୀତ ଗାନ କରିବା ପରେ ଗୋଟିଏ ପରେ ଗୋଟିଏ ଓଡିଶା ହିଟ ସଙ୍ଗୀତ ପରିବେଷଣ କରିଥିଲେ । ଯାହା ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା ।
ହସେଇ ହସେଇ ବେଦମ କଲେ ସୁନିଲ:ଏହା ପରେ ଷ୍ଟେଜକୁ ଆସିଥିଲେ ଷ୍ଟାଣ୍ଡଅପ କମେଡିଆନ ସୁନିଲ ଗ୍ରୋଭର । ଷଷ୍ଠ ଦିନର ମୁଖ୍ୟ ଆକର୍ଷଣ ସାଜିଥିଲା ସୁନିଲଙ୍କ ମୁଁ ସଫେଇବାଲା ଗୀତ । ହାତରେ ବାଲ୍ଟି ଧରି ନାଚିନାଚି ଷ୍ଟେଜକୁ ଏଣ୍ଟ୍ରି କରି ଶେଷ ପର୍ଯ୍ୟନ୍ତ ନିଜ କମେଡି ଅନ୍ଦାଜରେ ସମସ୍ତକୁ ହସି ହସି ଦେଦମ କରାଇଥିଲେ । ଏହାପରେ ସେ ମସୁର ଡାକ୍ତର ବାବୁ ବା ଡାକ୍ତର ଗୁଲାଟି ରୂପରେ ଆସି ଅନେକ ରୋଗର ନିରାକରଣ କଥା କମେଡି ଅନ୍ଦାଜରେ କହି ଲୋକଙ୍କୁ ହସାଇଥିଲେ ।
ନିଜ କମେଡି ମାଧ୍ୟମରେ ଅନେକ ମହିଳାଙ୍କୁ ମଧ୍ୟ ଷ୍ଟେଜକୁ ଡାକି ହସାଇ ହସାଇ ବେଦମ କରିଥିଲେ ସମସ୍ତଙ୍କୁ । ସବୁଠାରୁ ଆକର୍ଷଣୀୟ ଥିଲା ତାଙ୍କର ଭୁବନେଶ୍ୱରକୁ ନେଇ କରାଯାଇଥିବା କମେଡି । ସେ ଭୁବନେଶ୍ୱରର ଅନେକ ସ୍ଥାନ ଯେପରିକି ଜୟଦେବ ବିହାର, ମାର୍କେଟ ବିଲଡିଂ, ବାପୁଜୀ ନଗର ନା ନେଇ କମେଡି କରିଥିଲେ । ଏସବୁକୁ ନେଇ ତାଙ୍କ କମେଡିରୁ ଜଣାପଡୁଥିଲା ଯେ ସେ ଭୁବନେଶ୍ୱରକୁ ବହୁତ ପାଖରୁ ଜାଣିଛନ୍ତି । ଉପସ୍ଥିତ ଥିବା ଦର୍ଶକଙ୍କୁ ମଧ୍ୟ ଏହା ଖୁବ ପସନ୍ଦ ଆସିଥିଲା ।