ଓଡିଶା

odisha

ETV Bharat / state

Odisha News: SLSWCA ବୈଠକ, ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ଅନୁମତି ପାଇଥିବା ଶିଳ୍ପ ମଧ୍ୟରେ ରହିଛି ଇସ୍ପାତ ଏବଂ ଇସ୍ପାତ ସହ ସଂଯୁକ୍ତ ଶିଳ୍ପ, ରାସାୟନିକ ଓ ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ, ବୟନ ଓ ପୋଷାକ, ପର୍ଯ୍ୟଟନ ଏବଂ ଅକ୍ଷୟ ଶକ୍ତି ପ୍ରକଳ୍ପ ରହିଛି । ବଲାଙ୍ଗୀର, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହେବ । ଅଧିକ ପଢନ୍ତୁ

By

Published : May 8, 2023, 10:36 PM IST

SLSWCA ବୈଠକ, ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
SLSWCA ବୈଠକ, ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ବର: ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ୧୧୭ତମ ବୈଠକ ଆଜି ବସିଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏସଏଲଏସଡବ୍ଲ୍ୟୁସିଏ କମିଟି ଦ୍ବାରା ୨୮୪୦.୭୩ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏହା ଦ୍ଵାରା ୩୭୨୧ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ମେକ ଇନ ଓଡ଼ିଶା କନକ୍ଲେଭ ୨୦୨୨ରେ ଅଂଶଗ୍ରହଣ କରି ପୁଞ୍ଜିନିବେଶ ପ୍ରସ୍ତାବନା ଦେଇଥିବା ୯ ଟି କମ୍ପାନୀ ଅନ୍ତର୍ଭୁକ୍ତ ରହିଛି ।

ନିବେଶ ଉଦ୍ଦେଶ୍ୟକୁ ବାସ୍ତବରେ ପରିଣତ କରିବା ଦିଗରେ ରାଜ୍ୟ ସରକାର ନିରବଚ୍ଛିନ୍ନ ପ୍ରୟାସ କରୁଛନ୍ତି । ଅନୁମତି ପାଇଥିବା ଶିଳ୍ପ ମଧ୍ୟରେ ରହିଛି ଇସ୍ପାତ ଏବଂ ଇସ୍ପାତ ସହ ସଂଯୁକ୍ତ ଶିଳ୍ପ, ରାସାୟନିକ ଓ ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ୟାକେଜିଂ, ବୟନ ଓ ପୋଷାକ, ପର୍ଯ୍ୟଟନ ଏବଂ ଅକ୍ଷୟ ଶକ୍ତି ପ୍ରକଳ୍ପ ରହିଛି । ବଲାଙ୍ଗୀର, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହେବ ।

୮୯୬.୯୮ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆରସିଆର ଷ୍ଟିଲ ୱାର୍କସ ପ୍ରାଇଭେଟ ଲିମିଟେଡର ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମୟୂରଭଞ୍ଜର ଜାମଦାରେ ଏକ ଇସ୍ପାତ କାରଖାନା ସ୍ଥାପନ କରାଯିବ । ଏଥିରେ ପ୍ରାୟ ୭୫୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ରାୟଗଡ଼ା ଜିଲ୍ଲାରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ଏବଂ ସମ୍ବଲପୁରର ଲାପଙ୍ଗାସ୍ଥିତ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସମ୍ପ୍ରସାରଣ ପ୍ରସ୍ତାବକୁ କମିଟି ଅନୁମୋଦନ କରିଛି । ଯେଉଁଥିରେ ପ୍ରାୟ ୧୦୦୦ କୋଟି ଟଙ୍କା ବିନିଯୋଗ କରିବାକୁ ପ୍ରତିଶ୍ରୁତି ମିଳିଛି । ଏହି ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳରେ ୫୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଗଞ୍ଜାମ ଜିଲ୍ଲାର ଚିଲିକା ହ୍ରଦର ସୋମାଲୋ ଦ୍ବୀପରେ ୨୨୮.୪୫ କୋଟି ଟଙ୍କା ବିନିଯୋଗରେ ଏକ ରିସୋର୍ଟ ପ୍ରତିଷ୍ଠା ହେବ । ଏଥି ପାଇଁ ମହିନ୍ଦ୍ରା ହୋଲିଡେଜ ଆଣ୍ଡ ରିସର୍ଟସ ଇଣ୍ଡିଆ ଲିମିଟେଡର ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ଭାରତର ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି । ରସାୟନ କ୍ଷେତ୍ରରେ କମିଟି ଆୟନ ଏକ୍ସଚେଞ୍ଜ ଲିମିଟେଡର ଏକ ପ୍ରକଳ୍ପକୁ କମିଟି ମଞ୍ଜୁରୀ ଦେଇଛି । ୩୦୩ କୋଟି ଟଙ୍କା ବିନିଯୋଗରେ ପାରାଦୀପରେ ୨୫୦୦୦ ମେଟ୍ରିକ ଟନ ଜଳ ବିଶୋଧନ କେମିକାଲ ଏବଂ ୩୦,୦୦୦ ମେଟ୍ରିକ ଟନ ମନୋମର ଓ ପଲିମର୍ସ ଉତ୍ପାଦନ ୟୁନିଟ ସ୍ଥାପନ କରିବାକୁ କମ୍ପାନୀ ପ୍ରସ୍ତାବ ଦେଇଛି । ୧୫୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ।

ବୟନ ଓ ପୋଷାକ କ୍ଷେତ୍ରରେ ଇଣ୍ଡିଆନ ଷ୍ଟିଚେସ ପ୍ରାଇଭେଟ ଲିମିଟେଡ ୧୦୦ କୋଟି ଟଙ୍କା ବିନିଯୋଗରେ ଏକ ଫେବ୍ରିକ ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ କରିବ । ୧୦୦୦ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଖୋର୍ଦ୍ଧାରେ ଫୁଡ ପ୍ରୋସେସିଂ ଓ ପ୍ୟାକେଜିଂ ୟୁନିଟ ସ୍ଥାପନ ପାଇଁ ତାଜ ସାଟସ ଲିମିଟେଡର ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପରେ ୫୧ କୋଟି ଟଙ୍କା ବିନିଯୋଗ ହେବ । ୨୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details