ଭୁବନେଶ୍ବର:ରାଜଧାନୀରେ ଜମୁଛି ଡଟ ଫେଷ୍ଟ । ସନ୍ଧ୍ୟା ସମୟରେ ରଙ୍ଗୀନ ଆଲୋକ ମାଳା ସାଙ୍ଗକୁ ନାଚ ଗୀତର ଆସରରେ ଝୁମୁଛନ୍ତି ରାଜଧାନୀ ବାସୀ । ଆଜି(ରବିବାର) ଡଟ ଫେଷ୍ଟର ଅଷ୍ଟମ ସନ୍ଧ୍ୟା ଆରମ୍ଭ ହେବାକୁ ଥିବା ବେଳେ ଗତକାଲି(ଶନିବାର)ସପ୍ତମ ସନ୍ଧ୍ୟା ଶେଷ ହୋଇଛି । ଶନିବାର ସନ୍ଧ୍ୟାରେ ଡଟ ଫେଷ୍ଟ କାର୍ଯ୍ୟକ୍ରମରେ ଦର୍ଶକଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ୨୦ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ସମାଗମ ହୋଇଥିବା ବେଳେ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ତଥା କମ୍ପୋଜର ଅମିତ ତ୍ରିବେଦୀଙ୍କ ଗୀତରେ ପୁରା ଫେଷ୍ଟ ଝୁମି ଉଠିଥିଲା । ସେହିପରି ଓଡିଆ ଗାୟକ ସ୍ୱୟମ ପାଢୀଙ୍କ ସଙ୍ଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା ।
ଝୁମାଇଲେ ସ୍ବୟମ:ସ୍ବୟମଙ୍କ ସଙ୍ଗୀତରୁ ସନ୍ଧ୍ୟା ଆରମ୍ଭ ହୋଇଥିବା ବେଳେ ପ୍ରଥମେ ସେ ଓରେ ଦିଲନସୀ ଗୀତ ଗାଇଥିଲେ । ଏହାପରେ ଶହେ ଥିଲି ଶୂନ ହେଲି, ଜିଗର ୱାଲା, ନୂଆ ସାୟରୀ ଓ ଜାନେ ଜାନା ଗୀତ ଗାଇ ଦର୍ଶକଙ୍କ ମନୋରଞ୍ଜନ କରାଇଥିଲେ । ପରେ ଶ୍ରମ କମିଶନର ଆଇଏଏସ୍ ଥିରୁମାଳା ନାୟକ ଓ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମଞ୍ଚରେ ଉଭୟ କଳାକାରଙ୍କୁ ସମ୍ବର୍ଦ୍ଧତ କରିଥଲେ।
ଦର୍ଶକଙ୍କୁ ମତୁଆଲା କଲା ଅମିତ ତ୍ରିବେଦୀଙ୍କ ସଙ୍ଗୀତ: ପରେ ଅମିତ ନମୋ ନମୋ ଶଙ୍କରା ଗାଇ ସନ୍ଧ୍ୟା ଆରମ୍ଭ କରିଥିଲେ । ଅମିତଙ୍କ ସଙ୍ଗୀତରେ ତାଙ୍କୁ ଅରୁଣ କାମତ, ୟାସିତା ଶର୍ମା,ଦେବେନ୍ଦ ପାଲ ସିଂ ଓ ମେଘ୍ନା ମିଶ୍ର ସହଯୋଗ କରିଥଲେ। କାର୍ଯ୍ୟକ୍ରମକୁ ୪ ଭାଗରେ ବିଭକ୍ତ କରାଯାଇଥଲା। ପ୍ରଥମ ଇଣ୍ଟ୍ରୋଡକ୍ସନ ପରେ ପ୍ୟାର କା ସଫର, ସାଉଣ୍ଡସ୍ ଅଫ ଇଣ୍ଡିଆ ଓ ଶେଷରେ ଲେଟ୍ସ ପାର୍ଟି ଥିମରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଅମିତଙ୍କ ଧୁମଧଡ଼ାକ ଗୀତ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା । ଯୁବପିଢ଼ିଠୁ ଆରମ୍ଭ କରି ବୟସ୍କ ସମସ୍ତେ ନାଚିଥିଲେ ଆଉ ଝୁମିଥିଲେ ଅମିତଙ୍କ ଗୀତରେ । ଅମିତ ଓ ତାଙ୍କ ଟିମ ୩୫ରୁ ଉର୍ଦ୍ଧ୍ବ ଗୀତ ଗାଇଥଲେ । ଯାହା ଦର୍ଶକଙ୍କ ମନକୁ ଖୁବ ଛୁଇଁଥିଲା ।