ଭୁବନେଶ୍ବର: ନାରୀ କୈନ୍ଦ୍ରିକ କାହାଣୀକୁ ନେଇ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ବସ୍ (Boss) । ତେବେ ଆଜି ଏହି ଚଳଚ୍ଚିତ୍ରର ଶୁଭ ମହୁରତ ହୋଇଯାଇଛି । ଗଜପତି ନଗରଠାରେ ଥିବା ମା' କାଳୀଙ୍କ ମନ୍ଦିରରେ ଚଳଚ୍ଚିତ୍ରର ପୁରା ଟିମ୍ ପୂଜା କରିବା ସହ ଚଳଚ୍ଚିତ୍ରର ନିର୍ମାଣ ପାଇଁ ଶୁଭ ମହୁରତ କରିଛନ୍ତି । ଏହି ମହୁରତରେ ବରିଷ୍ଠ ଅଭିନେତା ରାଜନେତା ପ୍ରଶାନ୍ତ ନନ୍ଦ ଓ ଭୁବନେଶ୍ୱର ମେୟର ଯୋଗ ଦେଇ ଚଳଚିତ୍ରକୁ ନିଜର ଭଲ ପାଇବା ଓ ଆଶୀର୍ବାଦ ଦେଇଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଏହାର ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ ।
ଚଳଚ୍ଚିତ୍ରର ପ୍ରଯୋଜକ ରହିଛନ୍ତି ରମେଶ ବାରିକ । ସଂଳାପ ଓ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଶ୍ରୀପତି ସାହୁ । ଲେଖକ ବିଜୟ ମଲ୍ଲ ସିନେମାର କାହାଣୀ ଲେଖିଥିବା ବେଳେ ସଂଗୀତକୁ ଶବ୍ଦରେ ସଜାଇଛନ୍ତି ଗୀତିକାର ନିର୍ମଳ ନାୟକ । ଏହାସହ ଅଭିଜିତ ମଜୁମଦାର ଗୀତର ସ୍ୱର ସଂଯୋଜନା କରିଛନ୍ତି । ତେବେ ଏହି ସିନେମାଟି ହେଉଛି ଜଣେ ମହିଳାର ସଂଘର୍ଷ ଓ ସଫଳତାର କାହାଣୀ । ଯାହା ସମାଜକୁ ନାରୀ ସଶକ୍ତିକରଣର ବାର୍ତ୍ତା ଦେବ । ଆଉ ସମାଜ ପାଇଁ ଏକ ଦିଗଦର୍ଶକ ସାଜିବ ବୋଲି ଟିମ୍ ପକ୍ଷରୁ କୁହାଯାଇଛି । ଯାହାର ମୁଖ୍ୟ ଚରିତ୍ରରେ ରହିଛନ୍ତି ଅଭିନେତ୍ରୀ ବର୍ଷ ପ୍ରିୟଦର୍ଶିନୀ ।
କିଭଳି ଜଣେ ମହିଳା ଏ ପୁରୁଷ କୈନ୍ଦ୍ରିକ ସମାଜରେ ଜୀବନରେ ଅନେକ ଘାତ ପ୍ରତିଘାତ, ତାଡନା, ଅବମାନନା ଓ ଅପବାଦ ସହି ଆଗକୁ ବଢିଛି ସେନେଇ ଚଳଚ୍ଚିତ୍ରରେ ଦର୍ଶାଯାଇଛି । ଆଉ ନିଜର ଦୃଢ ଇଚ୍ଛାଶକ୍ତି ବଳରେ ସଫଳତାର ଶୀର୍ଷରେ ପହଞ୍ଚି ସମସ୍ତଙ୍କ ଉପରେ ରାଜ୍ କରିଛି ତାହାକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ ହୋଇଛି । ତେଣୁ ଏଭଳି ଏକ ମହିଳା ସଶକ୍ତିକରଣ ଉପରେ ପରିବେଷିତ ସିନେମାକୁ ନେଇ ବର୍ଷା ବେଶ ଖୁସି ଥିବାବେଳେ ଏହି ସିନେମା ନିଶ୍ଚୟ ଲୋକଙ୍କ ମନକୁ ଛୁଇଁବ ଆଉ ଦର୍ଶକଙ୍କୁ ଭଲ ଲାଗିବ ବୋଲି ସେ ଆଶା ରଖିଛନ୍ତି ।