ଭୁବନେଶ୍ବର:୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । ଏନେଇ ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କ ଅନୁରୋଧ କ୍ରମେ ଆଜି କଟକର ବିଭିନ୍ନ କାର୍ଯ୍ୟାଳୟ ବନ୍ଦ ରହିଛି । ଏହାକୁ ନେଇ ଗତକାଲି କଟକ ରାଜସ୍ୱ ବିଭାଗ କମିଶନର ଘୋଷଣା କରିଥିଲେ ।
ତେବେ ବୋର୍ଡ ଅଫ୍ ରେଭିନ୍ୟୁରେ ଅବସ୍ଥାପିତ ସମସ୍ତ କାର୍ଯ୍ୟାଳୟ, ଆର୍ଡିସି (କେନ୍ଦ୍ରୀୟ ଡିଭିଜନ୍), ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସବ୍-ରେଜିଷ୍ଟ୍ରାର, ପିଡିଡିଆର୍ଡିଏ, ପରିବହନ କାର୍ଯ୍ୟାଳୟ, ଜିଲ୍ଲା ଅବକାରୀ କାର୍ଯ୍ୟାଳୟ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ, ରାଜ୍ୟ ପରିବହନ କର୍ତ୍ତୃପକ୍ଷ କମିସନରଙ୍କ କାର୍ଯ୍ୟାଳୟ ବନ୍ଦ ରହିବ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକର ୨୨ଟି ସ୍କୁଲ ଓ କଲେଜ ବନ୍ଦ ରଖାଯାଇଛି ।
ସେହିପରି ଜିଲ୍ଲା ଟ୍ରେଜେରୀ, ଆଡ୍ଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟ, ତହସିଲଦାରଙ୍କ କାର୍ଯ୍ୟାଳୟ, କଲେକ୍ଟୋରେଟ୍ କମ୍ପାଉଣ୍ଡ ସ୍ଥିତ ଏସ୍ବିଆଇ ମୁଖ୍ୟ କାର୍ଯ୍ୟାଳୟ ଓ ୟୁକୋ ବ୍ୟାଙ୍କ, ବାର୍ କାଉନ୍ସିଲ୍ ନିକଟସ୍ଥ କର୍ପୋରେସନ୍ ବ୍ୟାଙ୍କ, ହାଇକୋର୍ଟ କ୍ୟାମ୍ପସ୍ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ କାର୍ଯ୍ୟାଳୟ, ଚାନ୍ଦନୀଚୌକ ସ୍ଥିତ ମୁଖ୍ୟ ପୋଷ୍ଟ ଅଫିସ୍, କଲେକ୍ଟୋରେଟ୍ ସମ୍ମୁଖସ୍ଥ ପୋଷ୍ଟ ଅଫିସ୍, ହାଇକୋର୍ଟ କ୍ୟାମ୍ପ ସ୍ଥିତ ପୋଷ୍ଟ ଅଫିସ ଏବଂ ହାଇକୋର୍ଟ ନିକଟସ୍ଥ ଏଲ୍ଆଇସି ଅଫିସ ମଧ୍ୟ ରାଷ୍ଟ୍ରପତିଙ୍କ କଟକ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟି ରଖି ବନ୍ଦ ରହିଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ରାଷ୍ଟ୍ରପତି ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରିବେ । ପରେ ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହାପରେ କଟକ ସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବେ । ସେହିପରି ରାଷ୍ଟ୍ରପତି ମୁର୍ମୁ ଆଜି କଟକରେ ମଧୁବାବୁଙ୍କ ଘର, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ, ନେତାଜୀ ସଂଗ୍ରହାଳୟ ଆଦି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ସନ୍ଧ୍ୟାରେ ଭୁବନେଶ୍ୱର ଫେରିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି ।