ଭୁବନେଶ୍ବର: ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ । ନିର୍ବାଚନ ଅଧିକାରୀ ତଥା ବିଧାନସଭା ସଚିବ ଦାଶରଥି ଶତପଥୀଙ୍କ ନିକଟରେ ନାମାଙ୍କନ ଭରିଛନ୍ତି ପ୍ରମିଳା । ପ୍ରମିଳା ପାଇଁ ପ୍ରସ୍ତାବକ ହୋଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ସମର୍ଥକ ହୋଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ । ପ୍ରମିଳା ଆଜି ଭରିଲେ ନାମାଙ୍କନ ଭରିଥିବାବେଳେ ସଂଖ୍ୟା ଗଣିତରେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇ ଆସନ୍ତାକାଲି ବାଚସ୍ପତି ଭାବେ ଦାୟିତ୍ବ ନେବେ ।
ଗତକାଲି ବିଜେଡି ପକ୍ଷରୁ ପ୍ରମିଳାଙ୍କୁ ପ୍ରାର୍ଥୀ ଭାବେ ବିଧିବଦ୍ଧ ଘୋଷଣା କରାଯାଇଥିଲା । ଯେହେତୁ ଆଉ କୌଣସି ଦଳ ପ୍ରାର୍ଥୀ ଦେଉନାହାନ୍ତି, ତେଣୁ ସେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି । ପ୍ରମିଳା ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ ବୋଲି ଆଜି ନାମାଙ୍କନ ସହିତ ସ୍ପଷ୍ଟ ହୋଇଯାଇଛି । ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ମୌସୁମୀ ଅଧିବେଶନ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଏଥିପାଇଁ ସେ ଆଜି ରାଜସ୍ବ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପଠାଯାଇଛି । ଯାହା ଗୃହୀତ ହୋଇଥିବା ସୂଚନା ମିଳିଛି ।
ଏହା ବି ପଢନ୍ତୁ- ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରମିଳା ମଲ୍ଲିକ, ସୁଦାମ ମାରାଣ୍ଡିଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ