ଭୁବନେଶ୍ବର:ବିଦ୍ୟୁତ ବିକ୍ରି ରାଜିନାମା ଅଧୀନରେ ଗ୍ରିଡକୋକୁ 600 ମେଗାୱାଟ୍ ପବନ ଶକ୍ତି ଯୋଗାଇବ ଏସଇସିଆଇ । ଏନେଇ ଗତକାଲି ଉଭୟ ପକ୍ଷ ମଧ୍ୟରେ ଏକ ବିଦ୍ୟୁତ ବିକ୍ରି ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା ଅଧୀନରେ ଓଡ଼ିଶାର ଗ୍ରିଡକୋ ଭାରତୀୟ ସୌର ଶକ୍ତି ନିଗମ ଠାରୁ ପବନ ବିଦ୍ୟୁତ ପ୍ରକଳ୍ପ ଯୋଜନା ସହ ଜଡ଼ିତ ଆଇଏସଟିଏସ ( ଇଣ୍ଟର ଷ୍ଟେଟ ଟ୍ରାନ୍ସମିଶନ ସିଷ୍ଟମ)ର XIII ଅଧୀନରେ 600 ମେଗାୱାଟ୍ ପବନ ବିଦ୍ୟୁତ ଶକ୍ତି କିଣିବ । ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟର ISTS ଯୋଜନା ଅଧୀନରେ ଅକ୍ଷୟ ଶକ୍ତି ସମ୍ପଦରେ ସମୃଦ୍ଧ ରାଜ୍ୟରେ ଉତ୍ପାଦିତ ହେଉଥିବା ବିଦ୍ୟୁତକୁ ଅକ୍ଷୟ ଶକ୍ତି ଅଭାବ ଥିବା ରାଜ୍ୟମାନଙ୍କୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି ।
ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଉପସ୍ଥିତିରେ ଭୁବନେଶ୍ବର ଠାରେ ଏସଇସିଆଇ ଏବଂ ଗ୍ରିଡକୋ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଗ୍ରୀଡକୋ ଦ୍ୱାରା 600 ମେଗାୱାଟ ପବନ ଶକ୍ତି କ୍ରୟ ପାଇଁ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗ ପୂର୍ବରୁ ସ୍ୱୀକୃତି ପ୍ରଦାନ ଦେଇଛନ୍ତି । ସେହିପରି ପ୍ରୋଜେକ୍ଟ ଡେଭଲପର୍ସଙ୍କ ସହ ପାୱାର କ୍ରୟ ଚୁକ୍ତିନାମା (ପିପିଏ) ସ୍ୱାକ୍ଷର ହେବାର 24 ମାସ ମଧ୍ୟରେ ପାୱାର କାର୍ଯ୍ୟକ୍ଷମ ହେବାର ଯୋଜନା ରହିଛି । ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଥିବା ବିଦ୍ୟୁତ ଉତ୍ପାଦନକାରୀମାନେ 600 ମେଗାୱାଟ୍ ପବନ ବିଦ୍ୟୁତ ଶକ୍ତି ଯୋଗାଇ ଦେବେ ।