ଭୁବନେଶ୍ବର:ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ଏସଡିଜେଏମ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ତେବେ ମହିଳା ସାମ୍ବାଦିକଙ୍କୁ ମାଡ଼ ମାରିବା ଓ ଦୁର୍ବ୍ୟବହାର ମାମଲାରେ ଗିରଫ ହୋଇଥିଲେ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକ । ଶୁକ୍ରବାର ଦିନ ତାଙ୍କୁ ଖାରବେଳନଗର ପୋଲିସ ଗିରଫ କରିଥିଲା ।
ପ୍ରକାଶଯୋଗ୍ୟ, ନଭେମ୍ବର 3 ତାରିଖ ଦିନ ଖବର ସଂଗ୍ରହ କରିବା ପାଇଁ ଭୁବନେଶ୍ବର ସ୍ଥିତ ଏକ ହଲକୁ ଇଟିଭି ଭାରତ ସାମ୍ବାଦିକା ଦେବସ୍ମିତା ରାଉତଙ୍କୁ ହଠାତ ମାଡ ମାରିଥିଲେ ପ୍ରଯୋଜକ ଟୁଟୁ ନାୟକ । ଯେଉଁଥିରେ ତାଙ୍କ ବୁମ ତଳେ ପଡିଯାଇଥିଲା । ବୁମଟିକୁ ନ ଉଠାଇ ସେଠାରୁ ଚାଲିଯାଇଥିଲେ ଟୁଟୁ ନାୟକ । ତେବେ ଏହି ଘଟଣାକୁ ନେଇ ଖାରବେଳ ନଗର ଥାନାରେ ମାମଲା ଦାୟର କରିଥିଲେ ପୀଡିତା ସାମ୍ବାଦିକା ।
ଏହାମଧ୍ୟ ପଢନ୍ତୁ..ସାମ୍ବାଦିକାଙ୍କୁ ଅସଦାଚରଣ ମାମଲା, ନିଜ ଆଡୁ ମାମଲା ରୁଜୁ କଲା ମହିଳା କମିଶନ
ପୋଲିସ ମାମଲାର ତଦନ୍ତ କରିବା ସହ ଘଟଣାସ୍ଥଳରେ ଲାଗିଥିବା ସିସିିଟିଭି ଫୁଟେଜ ଯାଞ୍ଚ କରିଥିଲା । ତଥ୍ୟପ୍ରମାଣ ଆଧାରରେ ଟୁଟୁ ନାୟକଙ୍କୁ ନଭେମ୍ବର 4 ତାରିଖ ଦିନ ପୋଲିସ ଗିରଫ କରିଥିଲା । ୩୫୪, ୨୯୪, ୩୪୧, ୩୨୩ ଭଳି ସଙ୍ଗୀନ ଦଫା ଗିରଫ ହୋଇଥିଲେ ଟୁଟୁ ନାୟକ । ପରେ ଆଜି ଏସଡିଜେଏମ କୋର୍ଟ ତାଙ୍କୁ ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । କୋର୍ଟଙ୍କ ସର୍ତ୍ତ ଅନୁଯାୟୀ, ଅଭିଯୋଗକାରିଣୀ ସାମ୍ବାଦିକା କିମ୍ବା ସାକ୍ଷୀଙ୍କୁ କୌଣସି ପ୍ରକାର ଧମକଚକମ ଦେଇପାରିବେ ନାହିଁ । କେସ କିମ୍ବା ସାକ୍ଷ୍ୟମାନଙ୍କ ଉପରେ କୌଣସି ପ୍ରକାର ଚାପ ପକାଇପାରିବେନି । କେସ ତଦନ୍ତକୁ ପ୍ରଭାବିତ କରିପାରିବେ ନାହିଁ । ତେବେ ପୂର୍ବରୁ ଟୁଟୁଙ୍କ ବିରୋଧରେ ଥିବା କାଷ୍ଟିଂ କାଉଚ ଅଭିଯୋଗ ଓ କଟକରେ ଥିବା ଏକ ଅଭିଯୋଗ ବିଷୟରେ ମଧ୍ୟ କୋର୍ଟକୁ ଅବଗତ କରାଇଥିବା କହିଥିଲେ ଅଭିଯୋଗକାରୀଣିଙ୍କ ଓକିଲ ।