ଭୁବନେଶ୍ବର: ଉଚ୍ଚତର ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥାନାନ୍ତର ହେଲେ ପୂର୍ବତନ ସାଂସଦ ବରିଷ୍ଠ ବିଜେଡି ନେତା ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ(SDC) ଉପଦେଷ୍ଟା ପ୍ରଦୀପ ମାଝୀ । ଦୀର୍ଘଦିନ ଧରି ଆଣ୍ଠୁ ଜନିତ ସମସ୍ୟାରେ ପୀଡିତ ଅଛନ୍ତି ଏହି ବରିଷ୍ଠ ରାଜନେତା । ଗତ ଏକ ମାସରୁ ଅଧିକ ସମୟ ହେଲା ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ । ପ୍ରାୟ ଏକ ମାସରୁ ଅଧିକ ସମୟ ଚିକିତ୍ସା ସତ୍ତ୍ୱେ ପ୍ରଦୀପ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇନାହାଁନ୍ତି ।
ପ୍ରଦୀପଙ୍କ ଅସ୍ତ୍ରପଚାର ହୋଇଥିଲେ ମଧ୍ୟ ତାହା ସଫଳ ହୋଇପାରିନାହିଁ । ଫଳରେ ଉଚ୍ଚତର ଚିକିତ୍ସା ପାଇଁ ଆଜି ପ୍ରଦୀପ ମାଝୀ ଦିଲ୍ଲୀ ସ୍ଥାନାନ୍ତର ହୋଇଛନ୍ତି । ଦକ୍ଷିଣ ଦିଲ୍ଲୀ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିବ ।
ଅସୁସ୍ଥତା ପାଇଁ ପ୍ରଦୀପ ଏବେ ରାଜନୀତି ତଥା ଜନସେବାରୁ ଦୂରରେ ଅଛନ୍ତି । ଯାହାକୁ ନେଇ ବହୁ ଲୋକ ଭିନ୍ନ ଭିନ୍ନ ଚର୍ଚ୍ଚା କରୁଥିଲେ । କିଏ କହିଲା ବିଜେଡି ସହିତ ତାଙ୍କର ଆଉ ଭଲ ସମ୍ପର୍କ ନାହିଁ ତ କିଏ ଆଉ କିଛି ଚର୍ଚ୍ଚା ଚଳାଇଥିଲେ । ଚର୍ଚ୍ଚାର ମଧ୍ୟ କିଛି ଯଥାର୍ଥତା ଥିଲା । କାରଣ ଗତ ଅକ୍ଟୋବର 12 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଗସ୍ତରେ ଯାଇ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ସହିତ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ପ୍ରଦୀପ ଏହି ସରକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା କଥା । ହେଲେ ପ୍ରଦୀପ ନଥିଲେ । ଏହା ବ୍ୟତୀତ କିଛି ଦିନ ଧରି ପ୍ରଦୀପ ବିଭିନ୍ନ ସରାକରୀ ଓ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି । ଏହି ସମସ୍ତ ସ୍ଥିତିକୁ ଦେଖି ବହୁ ଲୋକ ଭିନ୍ନ ଭିନ୍ନ ଚର୍ଚ୍ଚା କରୁଥିଲେ ।