ଭୁବନେଶ୍ବର:ଡେଙ୍ଗୁ ପରେ ରାଜ୍ୟରେ ଭୟ ବଢାଇଲା ସ୍କ୍ରବ ଟାଇଫସ । ବଢୁଛି ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ବରଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ରେ ମଧ୍ୟ ଏହି ରୋଗ ଅଧିକ ଦେଖାଯାଇଛି । ରାଜ୍ୟରେ ଗୋଟାଏ ପରେ ଗୋଟାଏ ଡେଙ୍ଗୁ ମାମଲା ଚିହ୍ନଟ ହେଉଥିବା ବେଳେ ଏବେ ରାଜ୍ୟରେ ସ୍କ୍ରବ ଟାଇଫସ୍ ସଂକ୍ରମଣ ଦେଖିବାକୁ ମିଳିଛି । ସେଥିପାଇଁ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ସ୍କ୍ରବ ଟାଇଫସ କଣ: ସ୍କ୍ରବ ଟାଇଫସ ଏକ ଜୀବାଣୁ ଜନିତ ରୋଗ । 'ଚିଗାର' ନାମକ କୀଟ କାମୁଡ଼ିଲେ ଏହି ରୋଗ ହୋଇଥାଏ । 'ଚିଗାର' ଦେଖିବାକୁ ନାଲି ରଙ୍ଗର ଟିଙ୍କ ଭଳି । ଚାଷୀ କିମ୍ୱା ବିଲ ବା ଜଙ୍ଗଲ ଯାଉଥିବା ଲୋକ ଏଥିରେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଏହି ରୋଗକୁ ଚିହ୍ନଟ କରିବା କଷ୍ଟକର ଅଟେ । ତେବେ ରୋଗ ଚିହ୍ନଟ ହେଲେ ଚିକିତ୍ସା ପଦ୍ଧତି ସହଜରେ ହୋଇଥାଏ ।
ସ୍କ୍ରବ ଟାଇଫସ ଲକ୍ଷଣ:ମୁଖ୍ୟତଃ ଜ୍ଵର, ଆଣ୍ଠୁ ଗଣ୍ଠି ଗୋଳାବିନ୍ଧା, ମୁଣ୍ଡବିନ୍ଧା ହେବା ଏହାର ମୁଖ୍ୟ ଲକ୍ଷଣ । ଆଉ ମଧ୍ୟ ଯେଉଁସ୍ଥାନରେ କୀଟ( ଚିଗାର) କାମୁଡିଥାଏ ସେହି ସ୍ଥାନଟିରେ କଳା ରଙ୍ଗର ଦାଗ ହୋଇଯାଇଥାଏ ଓ ସେହି ସ୍ଥାନରେ ସ୍କିନ ଡେଡ ହୋଇଯାଏ । ସେହି ସ୍ଥାନକୁ ଏଚାର ବୋଲି କୁହାଯାଏ ।