ଭୁବନେଶ୍ବର: ଜୟଦେବ ଭବନ ଠାରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜଟଣୀ ସ୍ଥିତ ‘ନାଇଜର’ର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡାଙ୍କୁ ବୈଜ୍ଞାନିକ ଉତ୍କର୍ଷ ପାଇଁ ‘ବିଜୁ ପଟ୍ଟନାୟକ ପୁରସ୍କାର’ ସ୍ୱରୂପ ୨ ଲକ୍ଷ ଟଙ୍କା ମାନରାଶି ସମେତ ପ୍ରଶସ୍ତିପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା ।
ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଲୁନା ସାମନ୍ତ, ଭୁବନେଶ୍ୱରସ୍ଥିତ ଆଇଏମ୍ଏମ୍ଟିର ଭୌତିକ ବିଜ୍ଞାନ ମୁଖ୍ୟ ଡ. ଦଣ୍ଡ ଶ୍ରୀନିବାସ ରାଓ, ରାଉରକେଲା ସ୍ଥିତ ଏନ୍ଆଇଟିର ପ୍ରଫେସର ଅନୁପ କୁମାର ପଣ୍ଡାଙ୍କ ସମେତ ଲକ୍ଷ୍ନୌ ସ୍ଥିତ ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ସଂସ୍ଥାର ବୈଜ୍ଞାନିକ ଡ. ସରୋଜକାନ୍ତ ବାରିକଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ପ୍ରଦାନ କରାଯାଇଥିଲା । ଉପରୋକ୍ତ 4 ଜଣଙ୍କୁ ଏକ ଲକ୍ଷ ଟଙ୍କା ମାନରାଶି ସାଙ୍ଗକୁ ପ୍ରଶସ୍ତିପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ଜୀବବିଜ୍ଞାନ ବିଭାଗର ପୋଷ୍ଟ ଡକଫରାଲ ଫେଲୋ ଡ. ଶଶାଙ୍କ ଶେଖର ସ୍ୱାଇଁ, ନାଇଜରର ଭୌତିକ ବିଜ୍ଞାନ ବିଭାଗର ଡ. ନିବେଦିତା ଦାଶ, ଏନ୍ଆଇଟି ରାଉରକେଲାର ସହକାରୀ ପ୍ରଫେସର ଡ. ଜ୍ଞାନରଞ୍ଜନ ସେନାପତି ଓ ନାଇଜରର ଆସିଷ୍ଟାଣ୍ଟ ପ୍ରଫେସର ଡ. ସତ୍ୟପ୍ରସାଦ ପି. ସେନାନାୟକଙ୍କୁ କୃତୀ ଯୁବବୈଜ୍ଞାନିକ ଭାବରେ ପୁରସ୍କୃତ କରାଯାଇ ଥିବା ବେଳେ ପ୍ରଫେସର ସଂଗୀତା ରଥ ଓ ହିମାଂଶୁ ଶେଖର ଫତେସିଂହଙ୍କୁ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ଦିଆଯାଇଥିଲା ।