school book distribution begins ଭୁବନେଶ୍ବର:କୋଭିଡ ପରେ ଶିକ୍ଷା କ୍ଷେତ୍ରରେ ସ୍ବଭାବିକତା ଆଣିବାକୁ ସରକାରଙ୍କ ପ୍ରୟାସ। ଚଳିତ ବର୍ଷ ଏପ୍ରିଲରୁ ଆରମ୍ଭ ହେବ ଶିକ୍ଷା। ଗଣ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା। ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ର ପାଠ୍ୟ ପୁସ୍ତକକୁ ଆଜିଠାରୁ ୬ ଜିଲ୍ଲା କୁ ପଠାଇବା ଆରମ୍ଭ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଉପସ୍ଥିତିରେ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି ।
ଆଗାମୀ ଶିକ୍ଷାବର୍ଷ 2023-24ର ପାଠ୍ୟପୁସ୍ତକ ରାଜ୍ୟର 314 ବ୍ଲକ୍କୁ ଯୋଗାଣ କାର୍ଯ୍ୟ 2023 ମାର୍ଚ୍ଚ 31 ତାରିଖ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ଦ୍ବାରା ଶିକ୍ଷା ବର୍ଷ ଏପ୍ରିଲ ମାସ ଆରମ୍ଭରୁ ବିଦ୍ୟାଳୟ ଖୋଲିବା ପୂର୍ବରୁ ସମସ୍ତ ଛାତ୍ର ଓ ଛାତ୍ରୀମାନଙ୍କ ପାଖରେ ପୁସ୍ତକଗୁଡ଼ିକ ପହଞ୍ଚି ପାରିବ ବୋଲି ଆଶା କରାଯାଉଛି ।
ଏଥିସହ 2023-24 ଶିକ୍ଷାବର୍ଷ ପାଇଁ ପାଠ୍ୟପୁସ୍ତକ 2.5 କୋଟି ଏବଂ ଅନ୍ୟ ପାଠ୍ୟପୁସ୍ତକ 1.5 କୋଟି ଖଣ୍ଡ ବିତରଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଧାର୍ଯ୍ୟ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିତରଣ ନିମନ୍ତେ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କାର୍ଯ୍ୟାଳୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଅଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ପ୍ରକାଶ । 6ଟି ଜିଲ୍ଲା ଯଥା ପୁରୀ, କେନ୍ଦୁଝର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଓ 15 ବ୍ଲକକୁ ପଠାଯାଉଛି । ମାର୍ଚ୍ଚ ଶେଷ ସୁଦ୍ଧା ଯେପରି ସମସ୍ତଙ୍କ ପାଖରେ ପୁସ୍ତିକା ପହଞ୍ଚିବ। ସେ ଦିଗରେ କାମ ଜୋରଦାର ଚାଲୁ ରହିଛି ।
ଏନେଇ ପାଠ୍ୟପୁସ୍ତକ ଉତ୍ପାଦନ ବିକ୍ରୟ ଅନୁଷ୍ଠାନ ର ନିର୍ଦ୍ଦେଶକ ରଘୁରାମ ଆର. ଆୟାର କହିଛନ୍ତି, "ଆଜି ମନ୍ତ୍ରୀଙ୍କ ଦ୍ବାରା 15ଟି ବ୍ଲକ ପାଇଁ ବହି ପଠାଇବା କାର୍ଯ୍ୟକ୍ରମ ହୋଇଥିଲା । ଏଥିସହ ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତଙ୍କ ପାଖରେ ବହି ଗୁଡିକ ପହଞ୍ଚିଯିବ ।"
ଇଟିଭି ଭାରତ, ଭୁବନେଶ୍ବର