ଭୁବନେଶ୍ବର: ବିଦ୍ୟାଳୟ ଗୁଡ଼ିକରେ ହେଉନାହିଁ ବ୍ୟାଗ୍ ଓଜନ ଯାଞ୍ଚ । କେଉଁ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାଗ୍ ଓଜନ କେତେ ରହିବ, ତାହା ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି । ଏହାର ଯାଞ୍ଚ ପାଇଁ ଜିଲ୍ଲାସ୍ତରରେ ସ୍ବତନ୍ତ୍ର ସ୍କ୍ବାଡ୍ ମଧ୍ୟ ଗଠନ କରାଯାଇଛି । ତେବେ ବର୍ତ୍ତମାନ ଏହି ନିୟମ ମାନୁନାହାନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ଖିଲାପି ବିଦ୍ୟାଳୟ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହେଉଛି ।
ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗ୍ର ଓଜନ ଦେଢ଼ କେଜିରୁ 5 କେଜି ମଧ୍ୟରେ ରହିବ । ଏହାଠାରୁ ଅଧିକ ହେଲେ ସମ୍ପୃକ୍ତ ବିଦ୍ୟାଳୟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 2019 ମସିହାରେ ରାଜ୍ୟ ସରକାର ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । କେଉଁ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାଗ୍ ଓଜନ କେତେ ରହିବ, ତାହା ଧାର୍ଯ୍ୟ କରାଯାଇଛି । ଏହାର ଯାଞ୍ଚ ପାଇଁ ଜିଲ୍ଲାସ୍ତରରେ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ ମଧ୍ୟ କରାଯାଇଛି । ସ୍କ୍ବାଡ୍ ପକ୍ଷରୁ ସେ ସମୟରେ କେତେକ ଖିଲାପି ବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି । ହେଲେ ଦିନ କେଇଟା ପରେ ନିୟମକୁ ପାସୋରି ଯାଇଛନ୍ତି ସମସ୍ତେ । ନା ବିଦ୍ୟାଳୟ କର୍ତ୍ତୃପକ୍ଷ ସରକାରଙ୍କ ମାର୍ଗଦର୍ଶିକାର ପାଳନ କରୁଛନ୍ତି, ନା ସରକାରଙ୍କ ତରଫରୁ ଖିଲାପି ବିଦ୍ୟାଳୟ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଫଳରେ ଅଯଥାରେ ପିଲା କାନ୍ଧରେ ବସ୍ତାନି ବୋଝ ବୋହି ବିଦ୍ୟାଳୟ ଯାଉଛନ୍ତି ।
କରୋନା ମହାମାରୀ ସମୟରେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା । ପିଲା ଅନଲାଇନରେ ପାଠ ପଢ଼ିଲେ । ମହାମାରୀ କୋପ କମିବା ପରେ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଛି । ଛୋଟଛୋଟ ପିଲା ବିଦ୍ୟାଳୟକୁ ଆସୁଛନ୍ତି । ହେଲେ ସେମାନଙ୍କ ବସ୍ତାନି ବୋଝକୁ ନେଇ ଚିନ୍ତାରେ ଅଭିଭାବକ । ଅନାବଶ୍ୟକ ଭାବେ ପିଲା ଅଧିକ ଓଜନର ବ୍ୟାଗ୍ ନେଇ ବିଦ୍ୟାଳୟ ଯାଉଛନ୍ତି । ବିଶେଷକରି ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀ ଅଧିକ ଓଜନର ବ୍ୟାଗ୍ ବୋହୁଛନ୍ତି । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ 2ରୁ 3 କେଜି ମଧ୍ୟରେ ରହିବା ନେଇ ନିୟମ ରହିଥିବାବେଳେ 10ରୁ 12 କେଜି ପର୍ଯ୍ୟନ୍ତ ଓଜନର ବ୍ୟାଗ୍ ପିଲା ବିଦ୍ୟାଳୟ ନେଇ ଯାଉଥିବା ଦେଖିବାକୁ ମିଳିଛି । ପ୍ରାୟ ସବୁ ଶ୍ରେଣୀ ପିଲାଙ୍କ ବ୍ୟାଗ୍ ନିର୍ଦ୍ଧାରିତ ଓଜନଠାରୁ ଅଧିକ ରହୁଛି । ଅଭିଭାବକମାନେ ଉପାୟଶୂନ୍ୟ ହୋଇ ପିଲାଙ୍କ ବ୍ୟାଗ ନିଜେ ବୋହି ନେଉଥିବା ଲକ୍ଷ୍ୟ କରାଯାଉଛି ।