ଭୁବନେଶ୍ବର:ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ପ୍ରସଙ୍ଗ । ଛାତ୍ରଛାତ୍ରୀ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ମୂଲ୍ୟାୟନ ବେଳେ ଏହାକୁ ଦୃଷ୍ଟିରେ ରଖି ଗ୍ରେସ ମାର୍କ ଦିଆଯିବ । ପ୍ରଶ୍ନପତ୍ର ଲିକ୍ ନୁହେଁ ବରଂ ମୁଦ୍ରଣରେ ତ୍ରୁଟି ହୋଇଥିବା ମନ୍ତ୍ରୀ କହିଛନ୍ତି । ପରୀକ୍ଷା ପାଇଁ ଲକ୍ଷଲକ୍ଷ ପ୍ରଶ୍ନ ପତ୍ର ତିଆରି ହେଉଥିବାରୁ ଏଭଳି ତ୍ରୁଟି ଦେଖାଦେଇଛି । ଆଗାମୀ ଦିନରେ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ପ୍ରତିକ୍ରିୟା ଦେଇ କହିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ରାଜ୍ୟରେ ଦଶମ ପରୀକ୍ଷା ଜାରି ରହିଥିବାବେଳେ ଆଉ ଗୋଟିଏ ପେପର ବାକି ରହିଛି । ଇତିହାସ ଓ ରାଜନୀତି ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି ନେଇ ରାଜ୍ୟର ବିଭିନ୍ନ ସ୍କୁଲରୁ ଅଭିଯୋଗ ଆସିଥିଲା । ସେଟ-ବି ପ୍ରଶ୍ନପତ୍ରରେ ଏକାଧିକ ତ୍ରୁଟି ନେଇ ଅଭିଯୋଗ ହୋଇଥିଲା । ଏପରିକି କିଛି ସ୍ଥାନରେ ପ୍ରଶ୍ନପତ୍ର ଲିକ ନେଇ ମଧ୍ୟ ଖବର ସାମ୍ନାକୁ ଆସିଥିଲେ । ଏହି ଘଟଣା ନେଇ ଭୟଭୀତ ନହେବାକୁ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ପରାମର୍ଶ ଦେଇଛନ୍ତି । ଏନେଇ ସେ କହିଛନ୍ତି, "ଯେଉଁମାନେ କହିଛନ୍ତି ପରୀକ୍ଷାର ପ୍ରଶ୍ନପତ୍ର ଲିକ ହୋଇଛି ସେମିତି କିଛି ନାହିଁ । କେବଳ ମୁଦ୍ରଣରେ ତ୍ରୁଟି ହୋଇଛି । ମାଟ୍ରିକ ପରୀକ୍ଷା ଆରମ୍ଭରୁ ଶୃଙ୍ଖଳାର ସହିତ ଚାଲିଛି । ଆଉ ଗୋଟିଏ ପେପର ପରୀକ୍ଷା ବାକି ରହିଛି । ଭୟଭୀତ ନହୋଇ ଛାତ୍ରଛାତ୍ରୀ ପରବର୍ତ୍ତୀ ପରୀକ୍ଷା ଭଲ ଭାବରେ ଦିଅନ୍ତୁ ।"
ପୂର୍ବରୁ ମୁଦ୍ରଣରେ ତ୍ରୁଟି କେବେ ହୋଇନଥିଲା । ଚଳିତ ବର୍ଷ ଏଭଳି ହୋଇଥିବା କହିଛନ୍ତି ମନ୍ତ୍ରୀ । ତେବେ ପରୀକ୍ଷା ପାଇଁ ଲକ୍ଷଲକ୍ଷ ପ୍ରଶ୍ନପତ୍ର ପ୍ରସ୍ତୁତି କରାଯାଇଛି । ଯଦି ଏଭଳି ଘଟଣା ଦେଖିବାକୁ ମିଳିଲା ତେବେ ଆଗାମୀ ଦିନରେ ଏହା ଯେଭଳି ନହେବ ସେନେଇ ଦୃଷ୍ଟି ଦିଆଯାଉଛି । ଏହାକୁ ନେଇ ପିଲାମାନେ ଚିନ୍ତିତ ନହୋଇ ପରବର୍ତ୍ତୀ ପରୀକ୍ଷାକୁ କିପରି ଭଲ ଭାବରେ ଦେବେ, ସେଥିପ୍ରତି ପ୍ରସ୍ତୁତ ହୁଅନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି ।