ଭୁବନେଶ୍ବର: ଜାନୁୟାରୀ 26 ରୁ ରାଜ୍ୟ କଂଗ୍ରେସ ଆରମ୍ଭ କରିବ ‘‘ହାତ ସେ ହାତ ଯୋଡ’’ ଅଭିଯାନ । ହେଲେ ତା ପୂର୍ବରୁ ରାଜ୍ୟ କଂଗ୍ରେସର ହାତରୁ ଖସିଯାଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ । କିଛି ମାସ ତଳେ ଦଳୀୟ ପଦ ପଦବୀରୁ ଇସ୍ତଫା ଦେଇଥିବା ସତ୍ୟ ଆଜି ଜାତୀୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ।
ନିଜ ଟ୍ବିଟର ହ୍ୟାଣ୍ଡେଲରେ ସତ୍ୟ ଲେଖିଛନ୍ତି, ‘‘ପରିବର୍ତ୍ତନ କରିବା କଠିନ । କିନ୍ତୁ କେଉଁଠାରେ ରହିବା ବି କଠିନ । ଆପଣଙ୍କୁ ଆପଣଙ୍କର ମୂଲ୍ୟକୁ ପ୍ରଂଶସା କରାଯାଇ ପାରିବା ନାହିଁ । ଅତ୍ୟନ୍ତ କଠିନ ହୃଦୟ ସହିତ ମୁଁ କଂଗ୍ରେସ ଛାଡୁଛି ।’’ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଲେଖିଥିବା ଚିଠିରେ ସତ୍ୟ ପ୍ରକାଶ କହିଛନ୍ତି ଆଶା କରୁଛି ଆପଣ ଭଲରେ ଥିବେ । ମୋ କ୍ୟାରିୟର ଏକ ବଡ ନିଷ୍ପତ୍ତି ନେବାର କାରଣ ସମ୍ପର୍କରେ ଆପଣଙ୍କୁ କହିବାକୁ ଚାହୁଁଛି । ବର୍ତ୍ତମାନ ଦଳର ସ୍ଥିତି ଭଲ ନାହିଁ । ଦଳୀୟ ସ୍ଥିତି ସୁଧାରିବାକୁ କୌଣସି ପଦକ୍ଷେପ ନିଆଯାଉନାହିଁ ।
ବିଶେଷ କରି ରାଜ୍ୟ ପିସିସି ତାଳିକାରୁ ମୋର ନା ବାଦ ଦେବା ମତେ କଷ୍ଟ ଦେଇଥିଲା । ଏଆଇସିସି ସଭାପତି ନିର୍ବାଚନ ବେଳେ ପିସିସି ସଭ୍ୟ ତାଲିକାରୁ ମୋତେ ବାଦ ଦିଆଗଲା । ମୁଁ ଭୋଟ ଦେଇପାରିଲି ନାହିଁ । ବର୍ତ୍ତମାନ ଦଳ ଦେଇଥିବା 9 ରୁ 90 ଆହ୍ବାନ ଏକ ସ୍ଲୋଗାନରେ ପରିଣତ ହୋଇଛି । ଦଳରେ ତୃତୀୟ ପୀଢିର ନେତାଙ୍କୁ ସୁଯୋଗ ଦିଆଯାଉନାହିଁ । ଦଳକୁ ଶକ୍ତିଶାଳୀ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉନାହିଁ । କୃଷକ, ଯୁବ, ମହିଳା, ଆଦିବାସୀ ଓ ସାଧାରଣ ଲୋକ କଂଗ୍ରେସ ସହ ନାହାଁନ୍ତି । କିଏ ଅଛି ଏବେ କଂଗ୍ରେସ ସହ । ଦଳୀୟ କାର୍ଯ୍ୟଧାରାକୁ ନେଇ କାର୍ଯ୍ୟକର୍ତ୍ତା ପ୍ରଶ୍ନ କରୁଛନ୍ତି । ଓଡିଶା କଂଗ୍ରେସ ପକ୍ଷରୁ ରାଜ୍ୟବାସୀଙ୍କ ସ୍ବଳ୍ପ ସେବା କରିବାର ସୁଯୋଗ ପାଇଥିବାରୁ ମୁଁ ଖୁସି ।