ସରିଲା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଭୁବନେଶ୍ବର:ବିବାଦ ଭିତରେ ସରିଲା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର । ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଏହି ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ଏହି ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ନେଇ ଅନିୟମିତା ଅଭିଯୋଗ ଆସିଥିଲା । କାରଣ କୋଭିଡ ମହାମାରୀ ପୁରସ୍କାର ଦୁଇବର୍ଷ ହେବ ଦିଆଯାଇନଥିଲା ବେଳେ ବିତରଣ ନେଇ ଜାରି କରାଯାଇନାହିଁ କୌଣସି ପ୍ରେସ୍ ବିଜ୍ଞପ୍ତି ।
ହେଲେ ଗତ ସୋମବାର ତରବରିଆ ଭାବେ ରବୀନ୍ଦ୍ର ମଣ୍ଡପରେ ଗୋଟିଏ ଦିନରେ ଘୋଷଣା ସହ କରାଯାଇଛି ପୁରସ୍କାର ପ୍ରଦନ । ଯାହାକୁ ନେଇ ଏକାଡେମୀ ସଚିବଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ । ଏହାସହ ପୂର୍ବରୁ ମଧ୍ୟ ଏକ ଅନିୟମିତତା ମାମଲା ହୋଇଥିଲା । ଏବେ ପୁଣି ୨୦୨୧-୨୨ ଏବଂ ୨୦୨୨-୨୩ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏସବୁର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ‘‘ସମସ୍ତେ ୧୦୦ ପ୍ରତିଶତ ନମ୍ବର ତ ରଖିପାରିବେ ନାହିଁ। ତେଣୁ ତରବରିଆ ହୋଇଥିବା ପୁରସ୍କାରରେ ହୋଇଥିଲେ ବି ଯଥାସିଦ୍ଧ ସ୍ବଚ୍ଛତା ଓ ନିରପେକ୍ଷତା ଅବଲମ୍ବନ ହୋଇଛି । ଆଉ ଯେଉଁମାନେ ବି ପାଇଛନ୍ତି ନ୍ୟାୟ ସଙ୍ଗତ ଭାବେ ଚୟନ କରାଯାଇଛି ।’’
ଏହି ଅବସରରେ ଗୋଟିଏ ଦିନରେ ଘୋଷଣା ସହ ସମ୍ମାନ, ସମ୍ବର୍ଦ୍ଧନା ତଥା ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ଓଡିଶାର କଳା ସଂସ୍କୃତି, ପରମ୍ପରା ଓ ଭାଷାର ପ୍ରଚାର ପ୍ରସାର ସହ କଳାକାରଙ୍କୁ ମିଳିବ ପ୍ରୋତ୍ସାହନ ବୋଲି ଘୋଷଣା କରାଯାଇଛି ।
ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଏକାଡେମୀର ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ଏକାଡେମୀ ସମ୍ମାନ ଓ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି । ବାଦ୍ୟର ତାଳେ ତାଳେ କଳାର ସାଧକଙ୍କୁ ଦିଆଯାଇଥିଲା ସମ୍ମାନ । ସେହିଭଳି ଓଡ଼ିଶା ସଙ୍ଗୀତ ନାଟକଏକାଡେମୀ ପକ୍ଷରୁ ନୃତ୍ୟ, ସଙ୍ଗୀତ, ନାଟକ ଓ ଲୋକକଳା କ୍ଷେତ୍ରରେ ବିଶେଷ ଅବଦାନ ଥିବା କଳା ସାଧକ ମାନଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଦିଆଯାଇଥିଲା । ଅନୁରୂପ ଭାବେ ଓଡ଼ିଶୀ ସଙ୍ଗୀତ ଲାଗି ଗୋପାଳଚନ୍ଦ୍ର ପଣ୍ଡାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।
ସେହିଭଳି ୨୦୨୨ ବର୍ଷ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇଛନ୍ତି ପାଲା ଲାଗି ଜଗନ୍ନାଥ ବେହେରା । ପାଲାକୁ ଶାସ୍ତ୍ରୀୟ ମାନ୍ୟତା ଦାବି କରିଛନ୍ତି ଜଗନ୍ନାଥ ବେହେରା । ସେ କହିଛନ୍ତି ଆମେ ଗାୟକମାନେ ଓଡିଆ ଭାଷାକୁ ବଞ୍ଚାଇ ରଖିଛୁ । ତେଣୁ ଏହାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯାଉ । ଆଉ ଖାଲି ଏଇଠି କି ଏଠାକାର କଳାକାରଙ୍କୁ ନୁହେଁ ବିଶ୍ବରେ ଥିବା ସମସ୍ତ ଓଡ଼ିଆ କଳା ଓ କଳାକାରଙ୍କ ପ୍ରଚାର ସହ ତାଙ୍କୁ ସମ୍ମାନ ଦିଆଯାଉ । ଏହିପରିପ୍ରେକ୍ଷୀରେ ୨୦୨୧-୨୦୨୨ ବର୍ଷ ଲାଗି ବିଭିନ୍ନ ବିଭାଗରେ କୃତିତ୍ବ ଅଜନ କରିଥିବା କଳାକାରଙ୍କୁ ଏକାଡେମୀ ପୁରସ୍କାର ଦିଆଯାଇଥିଲା ।
ଅନ୍ୟପଟେ ପ୍ରଥମ ଥର ପାଇଁ ଯୁବକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସ୍ବତନ୍ତ୍ର ସମ୍ମାନ କବିଚନ୍ଦ୍ର କାଳୀଚରଣ ଯୁବ ପ୍ରତିଭା ସମ୍ମାନ ପାଇଛନ୍ତି । ସଂଗୀତ ଲାଗି ରାମ ଚନ୍ଦ୍ର ବେହେରା, ନୃତ୍ୟ ଲାଗି ରାହୁଲ୍ ଆଚାର୍ଯ୍ୟ, ନାଟକ ଲାଗି ନଳୀନି ନିହାର ନାୟକ, ଲୋକନୃତ୍ୟ ଓ ଲୋକ ନାଟ୍ୟ ପାଇଁ ଏସ୍ କ୍ଷୀରୋଦ ଦୋରା, ଲୋକ ଗୀତ ଓ ଲୋକ ବାଦ୍ୟ ଅଶ୍ଵିନୀ କୁମାର ପଟେଲଙ୍କୁ ପୁରସ୍କୃତ୍ କରାଯାଇଥିଲା ।
ଏହାସହ କେନ୍ଦ୍ର ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀର ପୁରସ୍କାରପ୍ରାପ୍ତ ଶିଳ୍ପୀମାନଙ୍କୁ ଓଡିଶା ମାଟିରେ ବିଭାଗ ପକ୍ଷରୁ ସେମାନଙ୍କର କୃତିତ୍ବ ପାଇଁ ସମ୍ବର୍ଦ୍ଧନା ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର