ଭୁବନେଶ୍ବର: ରାଜଭବନ ପରିସରରୁ ଚୋରି ହେଲା ଦୁର୍ଲଭ ଚନ୍ଦନ ଗଛ (Sandal wood tree stolen from premises of Raj Bhawan) । କେହି ଚୋର ରାଜଭବନ ପରିସରରେ ଥିବା ପ୍ରାୟ ୩ଟି ଚନ୍ଦନ ଗଛକୁ କାଟି ନେଇଥିବା ଅଭିଯୋଗ ହୋଇଛି । ଏହାପରେ ଏବେ ରାଜଭବନ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ହାଇ ସିକ୍ୟୁରିଟି ଜୋନ୍ ମଧ୍ୟରେ ଥାଇ ମଧ୍ୟ ରାଜଭବନରୁ ଚୋରି ହେବା ପୋଲିସର ପାରିବାପଣିଆ ଉପରେ ସୃଷ୍ଟି କରିଛି ବଡ଼ ପ୍ରଶ୍ନ ।
ଏ ନେଇ କ୍ୟାପିଟାଲ ଥାନା ଅଧିକାରୀ କହିଛନ୍ତି, " ଗୋଟିଏ ଗଛ ଚୋରି ହୋଇଥିବା ଅଭିଯୋଗ ପହଞ୍ଚିଛି । ଯାହାକୁ ନେଇ ଏକ କେସ ହୋଇଛି ପୋଲିସ ତଦନ୍ତ ଜାରି ରଖିଛି ।" ରାଜଭବନ ପରିସରରୁ ଚନ୍ଦନ ଗଛ ଚୋରି ହେବା ସମ୍ପର୍କରେ ଖବର ନଥିବା କହି ଏହି ପ୍ରସଙ୍ଗକୁ ଏଡ଼ାଇ ଦେଇଛନ୍ତି ସ୍ଥାନୀୟ ଏସିପି । ତେବେ ସବୁଠୁ ବଡ଼ କଥା ହେଉଛି ରାଜଧାନୀ ଭୁବନେଶ୍ବରର କେନ୍ଦ୍ରସ୍ଥଳରେ ଅବସ୍ଥିତ ରାଜଭବନ । ଏହାର ସୁରକ୍ଷା ଲାଗି ହାଇସିକ୍ୟୁରିଟି ନିୟୋଜିତ ହୋଇଥାନ୍ତି ।
ରାଜଭବନ ପରିସରର ସୁରକ୍ଷା ବ୍ୟବସ୍ଥା ଲାଗି କମିଶନରେଟ ପୋଲିସର ସ୍ବତନ୍ତ୍ର ଡ୍ୟୁଟି ରହିଥାଏ । ଏଠାରୁ ଚୋରି ହେବା ପରେ କମିଶନରେଟ ପୋଲିସର ସିକ୍ୟୁରିଟି ପ୍ରୋଟୋକଲକୁ ଭାଙ୍ଗିବା ଉପରେ ଏକ ବଡ ତୃଟି ହୋଇଛି । ଯାହାକି ପୋଲିସର ପାରିବାପଣିଆ ଉପରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ରାଜ୍ୟପାଳ ଓଡ଼ିଶାରେ ଅନୁପସ୍ଥିତ ଥିବା ସମୟରେ ରାଜ୍ୟର ସବୁଠାରୁ କଡ଼ା ସୁରକ୍ଷା ବଳୟ ଭିତରେ ଥିବା ଅଞ୍ଚଳରୁ ଚନ୍ଦନ ଗଛ ଚୋରି ହେବା ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।