BJP press meet on Ekamra bhumipujan ଭୁବନେଶ୍ବର: ଏକାମ୍ର ପ୍ରକଳ୍ପର ୩ ଦିନିଆ ଭୂମି ପୂଜନ କାର୍ଯ୍ୟକ୍ରମ ଶେଷ ହୋଇଛି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଖୁବଶୀଘ୍ର ଏକାମ୍ର ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ଥିବାବେଳେ ଏହାକୁ ନିର୍ବାଚନୀ ଭେଳିକି କହି ସମାଲୋଚନା କରିଛି ବିଜେପି । ଆଗକୁ ନିର୍ବାଚନ ଅଛି, ସେଥିପାଇଁ ଏକ ଭେଳିକି ସୃଷ୍ଟି କରାଯାଉଛି । ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ ହେଉଛି ରାଜ୍ୟ ସରକାରଙ୍କ ରାଜନୈତିକ ମଞ୍ଚ । ସାମ୍ବାଦିକ ସମ୍ମିଳନୀ କରି ଏପରି କହିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ।
ସମୀର ମହାନ୍ତି କହିଛନ୍ତି ଯେ, ସୌନ୍ଦର୍ଯ୍ୟକରଣ ନାମରେ ଅନେକ କୀର୍ତ୍ତିରାଜି ଭଙ୍ଗାଯାଇଛି । ଜିପିଆର ରିପୋର୍ଟ ସରକାରଙ୍କ ପାଖରେ ଥାଇ ମଧ୍ୟ କାର୍ଯ୍ୟକାରୀ ହେଉନି । କୀର୍ତ୍ତିରାଜି ଉପରେ ଟାଇଲ ପକାଇ ରାଜନୈତିକ ମଞ୍ଚ ରୂପରେ ବ୍ୟବହାର କରାଯାଉଛି । ନିର୍ବାଚନ ଆଗକୁ ଅଛି, ସେଥିପାଇଁ ଏକ ଭେଳିକି ସୃଷ୍ଟି କରାଯାଉଛି । ଏହାକୁ ରାଜ୍ୟ ସରକାର ରାଜନୈତିକ ମଞ୍ଚ କରିଛନ୍ତି, ଲୋକଙ୍କୁ ଭୂଆଁ ବୁଲେଇ ପ୍ରହେଳିକା ସୃଷ୍ଟି କରୁଛନ୍ତି । ୨୩ ବର୍ଷ ଶାସନରେ ସୌନ୍ଦର୍ଯ୍ୟକରଣ କଥା ଆଜି ସରକାରଙ୍କ ମନେପଡିଛି । ଆମେ ବିରୋଧ କରୁନାହୁଁ, ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ହେବା ଦରକାର । ସୌନ୍ଦର୍ଯ୍ୟକରଣ ନାମରେ ଅନେକ କୀର୍ତ୍ତିରାଜି ଭଙ୍ଗାଯାଇଛି । ସେଥିପାଇଁ ବିବାଦ ହୋଇଛି ବୋଲି ସମୀର କହିଛନ୍ତି ।
ଆଧ୍ୟାତ୍ମିକ ଐତିହ୍ୟ ଭଣ୍ଡାର ଏକାମ୍ର କ୍ଷେତ୍ରର ସୁରକ୍ଷା ଲାଗି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଂସ୍କୃତି ମନ୍ତ୍ରୀ ଗାନ୍ଧୀନଗର ଆଇଆଇଟିକୁ ସର୍ଭେ ଲାଗି ନିର୍ଦ୍ଦେଶ ଦେଇଥିଲେ । ଜିପିଆର ଆଧାରରେ ସର୍ଭେ କରିବାକୁ କୁହାଯାଇଥିଲା, ଜିପିଆର ଦ୍ବାରା ମାଟିତଳେ କୀର୍ତ୍ତିରାଜିର ଥ୍ରୀ ଡି ଫୋଟୋ ଆସିବ । ଏହାର ସର୍ଭେ ହୋଇଛି । ରାଜ୍ୟ ସରକାରଙ୍କ ପାଖରେ ରିପୋର୍ଟ ପଡ଼ିରହିଛି କିନ୍ତୁ କାର୍ଯ୍ୟକାରିତା ଏ ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ସଂସ୍କୃତିବିତ୍, ପ୍ରତ୍ନତତ୍ତ୍ବବିତ୍, ଐତିହାସିକ ସମସ୍ତେ ଜିପିଆର ସର୍ଭେ ରିପୋର୍ଟକୁ ଚାହିଁ ରହିଛନ୍ତି । କୀର୍ତ୍ତିରାଜି ଉପରେ ଟାଇଲ ପକାଇ ରାଜନୈତିକ ମଞ୍ଚ ରୂପେ ବ୍ୟବହାର କରାଯାଉଛି । ଏହାଦ୍ବାରା କ'ଣ ପ୍ରାଚୀନ କୀର୍ତ୍ତିରାଜି ସୁରକ୍ଷା ହୋଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି । ମୁଖ୍ୟମନ୍ତ୍ରୀଙ୍କ ସହାୟକ ଗସ୍ତ କରୁଛନ୍ତି, ତାଙ୍କ ପଛେ ପଛେ କ୍ୟାବିନେଟ ମନ୍ତ୍ରୀ ବୁଲୁଛନ୍ତି କହି ମଧ୍ୟ ସେ କଟାକ୍ଷ କରିଛନ୍ତି ।
ସେହିପରି ଭୁବନେଶ୍ଵର ଜିଲ୍ଲା ସଭାପତି ବାବୁ ସିଂ କପିଳେଶ୍ଵର ମନ୍ଦିରକୁ ଏକାମ୍ର ପ୍ରକଳ୍ପରେ ବାଦ ଦେଇଥିବାରୁ ଆମେ ଦୁଃଖିତ ବୋଲି କହିଛନ୍ତି । ଲିଙ୍ଗରାଜ ମନ୍ଦିରରୁ ଗୋଟିଏ କିଲୋମିଟର ଦୂରରେ ଥାଇବି ଏହି ମନ୍ଦିରର ଉନ୍ନତିକରଣ ହୋଇନାହିଁ । ଆଗାମୀ ଦିନରେ ରାଜ୍ୟ ସରକାର କପିଳେଶ୍ବର ମନ୍ଦିର ପ୍ରତି ଦୃଷ୍ଟି ନଦେଲେ ବିଜେପି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା ସଭାପତି ।
ଇଟିଭି ଭାରତ, ଭୁବନେଶ୍ବର