ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ବରିଷ୍ଠ ରାଜନେତା ଡଃ ଦାମୋଦର ରାଉତଙ୍କ ଉପରେ ଲାଗିଥିବା ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି । ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ତତ୍କାଳୀନ ବିଜେଡିର ଏହି ଭେଟେରାନ ତଥା 7 ଥରର ବିଧାୟକ ଦାମ ରାଉତଙ୍କୁ ବହିଷ୍କାର କରିଥିଲା ଦଳ । ଆଜି ତାଙ୍କର ବହିଷ୍କାର ପ୍ରତ୍ୟାହାର ଖବର ଶୁଣିବା ପରେ ୟୁନିଟ୍ 6 ସ୍ଥିତ ସରକାରୀ ବାସଭବନରେ ପହଞ୍ଚିଥିଲେ ତାଙ୍କ ସମର୍ଥକ ଏବଂ ଶୁଭେତ୍ସୁ । ଜଗତସିଂହପୁର ଜିଲ୍ଲା ଏବଂ ବିଶେଷକରି ପାରାଦୀପ, କୁଜଙ୍ଗ ଅଂଚଳର ଶତାଧିକ କର୍ମୀ ଖୁସିବ୍ୟକ୍ତ କରି ସ୍ଲୋଗାନ ଦେଇଥିଲେ । ତେବେ ଏନେଇ ଗଣମାଧ୍ୟମକୁ ବିବୃତି ଦେବା ସମୟରେ ଭାବ ବିହ୍ଵଳ ହୋଇଯାଉଥିଲେ ଦାମଙ୍କ ପୁଅ ତଥା ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ । ଭୋ ଭୋ କାନ୍ଦି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ସମ୍ବିତ ।
କାନ୍ଦ କାନ୍ଦ ହୋଇ ସମ୍ବିତ କହିଛନ୍ତି, "ବାପାଙ୍କ ସଙ୍ଘର୍ଷ ବହୁତ ପାଖରୁ ଦେଖିଛି । ବିଜେଡି ଦଳର ଏହି ନିଷ୍ପତ୍ତି ବାପାଙ୍କୁ ମାନସିକ ସ୍ତରରେ ବହୁତ ଭାଙ୍ଗି ଦେଇଥିଲା । ଆଜି ବାପାଙ୍କ ପାଇଁ ଏହାଠୁ ଅଧିକ ଖୁସି ଖବର ଆଉ କଣ ବା ହୋଇପାରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ପୁଅ ହିସାବରେ ଧନ୍ୟବାଦ ଦେଉଛି । ବାପା ଅସୁସ୍ଥ ହୋଇ ଏବେ ହସ୍ପିଟାଲରେ ଅଛନ୍ତି । ଦଳରୁ ବିଦା କରିବା ତାଙ୍କୁ ଖୁବ କଷ୍ଟ ଦେଇଥିଲା । ଆଜିର ଏ ଖବର ତାଙ୍କୁ ବହୁତ ଆଶ୍ବସ୍ତି ଦେବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି । ବାପା ଅଭିମାନରେ ବିଜେପି ଚାଲି ଯାଇଥିଲେ । କିନ୍ତୁ ବେଶୀ ଦିନ ରହି ପାରିଲେ ନାହିଁ । ତାଙ୍କର ଦୁଃଖ ଆଉ କ୍ଷୋଭ କଥା ମୁଁ ବୁଝିପାରେ ।"