ଭୁବନେଶ୍ବର: ଆଦିବାସୀ କାର୍ଡ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପବାଚସ୍ପତି ହେବାକୁ ଯାଉଛନ୍ତି ଆଦିବାସୀ ନେତା ତଥା ବିଧାୟକ ସାଲୁଗା ପ୍ରଧାନ । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବିଧାୟକ ହେଉଛନ୍ତି ସାଲୁଗା ପ୍ରଧାନ । ସାଲୁଗା ପ୍ରଧାନ ଉପବାଚସ୍ପତି ପ୍ରାର୍ଥୀ ଭାବେ ଆଜି (ସୋମବାର) ନାମାଙ୍କନ ଭରିଛନ୍ତି । ଆସନ୍ତାକାଲି(ମଙ୍ଗଳବାର) ଉପ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଶାସକ ଦଳ ବିଜେଡିରେ ସଂଖ୍ୟା ଦୃଷ୍ଟିରୁ ସାଲୁଗା ବିଜୟ ହେବା ଏକ ପ୍ରଦାର ନିଶ୍ଚିତ ହୋଇଯାଇଛି ।
ଏହାମଧ୍ୟ ପଢ଼ନ୍ତୁ: Deputy Speaker Resign: ଇସ୍ତଫା ଦେଲେ ଉପବାଚସ୍ପତି ରଜନୀକାନ୍ତ ସିଂ
ସାଲୁଗା ପ୍ରଧାନ ଦୁଇଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ୨୦୦୦ ଏବଂ ୨୦୧୯ ନିର୍ବାଚନରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସାଲୁଗା । ବିଧାନସଭାର ନିର୍ବାଚନ ଅଧିକାରୀ ତଥା ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ନିକଟରେ ସାଲୁଗା ଆଜି (ସୋମବାର) ନାମାଙ୍କନ ଭରିଛନ୍ତି । ନାମାଙ୍କନ ଦାଖଲ ସମୟରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତୀ ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ପଦ୍ମନାଭ ବେହେରା, ଶଶୀଭୂଷଣ ବେହେରା, ସମ୍ବିତ ରାଉତରାୟ, ପ୍ରଣବ ବଳବନ୍ତରାୟ, ସମୀର ଦାସ ଉପସ୍ଥିତ ଥିଲେ ।