ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବରରେ ସଫାଇ ମିତ୍ର ଚ୍ୟାଲେଞ୍ଜ ଆରମ୍ଭ ହୋଇଛି । ସ୍ମାର୍ଟସିଟି ବାସିନ୍ଦାମାନେ ଏବେ ସୁବିଧାରେ ମଳ ପରିଚାଳନା ସେବା ପାଇପାରିବେ । ଏଥିଲାଗି ସରକାରଙ୍କ ପକ୍ଷରୁ ମାଗଣା ଟୋଲ ଫ୍ରି ନମ୍ବର ମଧ୍ୟ ଜାରି ହୋଇଛି ।
ମଳ ପରିଚାଳନା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଏହି ମିଶନ ଆରମ୍ଭ କରାଯାଇଛି । କୌଣସି ଅଭିଯୋଗ ଥିଲେ ମାଗଣା ଟୋଲ ଫ୍ରି ନମ୍ବର -14420ରେ ଯୋଗାଯୋଗ କରିହେବ । ସାରା ଦେଶର ସମସ୍ତ ମହାନଗର ନିଗମରେ ଏହାକୁ କାର୍ଯ୍ୟକାରୀ କରୁଥିବା ବେଳେ ଭୁବନେଶ୍ବର ମହାନଗର ନିଗମ ପ୍ରଥମ ସହର ଭାବେ ଏହି ଟୋଲ ଫ୍ରି ନମ୍ବର ମାଧ୍ୟମରେ ମଳ ପରିଚାଳନା କରିବା ପାଇଁ ଆଗେଇ ଆସିଛି।
ଭୁବନେଶ୍ବରରେ ସଫାଇ ମିତ୍ର ଚ୍ୟାଲେଞ୍ଜ, ଜାରି ହେଲା ଟୋଲ ଫ୍ରି ନମ୍ବର ମଳ ନିସ୍ତାରଣ, ସେପ୍ଟିକ ଟାଙ୍କିର ନିୟମିତ ସଫେଇ ଏବଂ ମେସିନ ମାଧ୍ୟମରେ ମଳ ସେଫଇକୁ ପ୍ରୋତ୍ସାହନ ଦେବା ପାଇଁ ସରକାରଙ୍କର ସଫେଇ ମିତ୍ର କାର୍ଯ୍ୟକ୍ରମ ଅଧୀନରେ ଏହି ଟୋଲ ଫ୍ରି ସେବା କରାଯାଇଛି। ଗତ ୧୯ ନଭେମ୍ବର ୨୦୨୦ରେ ଦେଶରେ ସଫାଇ ମିତ୍ର କାର୍ଯ୍ୟକ୍ରମର ଲୋକାର୍ପଣ ହୋଇଥିବା ବେଳେ ଭୁବନେଶ୍ବରରେ ଏହା ସର୍ବପ୍ରଥମେ କାର୍ଯ୍ୟକାରୀ ହେବ। ଭୁବନେଶ୍ବରରେ ମଳ ପରିଚାଳନା ପାଇଁ ସେଶପୁଲ ଗାଡିର ବ୍ୟବସ୍ଥାକୁ ତ୍ବରାନ୍ବିତ କରାଯାଇ ବସ୍ତି ବାସିନ୍ଦାଙ୍କୁ ସ୍ବତନ୍ତ୍ର ରିହାତି ଦିଆଯାଇଛି ।
ତେବେ ଏହି ସୁବିଧାକୁ ନାଗରିକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଶିକ୍ଷା ସୂଚନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରତ୍ୟେକ ପରିବାର କିପରି ଏହାର ଉପଯୋଗ କରିପାରିବେ ସେଥିପାଇଁ ବିଏମସି ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ