ଭୁବନେଶ୍ବର:ରାଜ୍ୟର ନୂଆ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ହେଲେ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି । ଆସନ୍ତା ଜାନୁଆରୀ ୩୧ ତାରିଖରୁ ନୂଆ ପଦବୀରେ ନିଯୁକ୍ତି ପାଇବାକୁ ଯାଉଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ସଚ୍ଚିଦାନନ୍ଦ ଭୁବନେଶ୍ବର ଏମ୍ସର ଅଧୀକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ।
ସୂଚନା ଅନୁଯାୟୀ, ବର୍ତ୍ତମାନ DMET ଭାବେ ରମାରମଣ ମହାନ୍ତି କାର୍ଯ୍ୟରତ ଅଛନ୍ତି । ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଡିନ୍ ତଥା ଅଧ୍ୟକ୍ଷ ଭାବରେ ପ୍ରଫେସର ଡ଼ ରମା ରମଣ ମହାନ୍ତିଙ୍କୁ ରାଜ୍ୟ ସରକାର ନୂଆ DMET ଭାବେ 2022 ଅକ୍ଟୋବର ୨୯ ତାରିଖରେ ନିଯୁକ୍ତି ଦେଇଥିଲେ । ଅକ୍ଟୋବର ୩୧ ତାରିଖରେ ଡିଏମଇଟି ସିବିକେ ମହାନ୍ତିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ରମା ରମଣ ମହାନ୍ତି ।
ଜଣେ ଅଭିଜ୍ଞ ସ୍ୱାସ୍ଥ୍ୟ ପ୍ରଶାସକ, ଅଧ୍ୟାପକ ଭାବେ ଜଣାଶୁଣା ଡ଼ ରମା ରମଣ ମହାନ୍ତି ରାଜ୍ୟର ନୂତନ DMET ଭାବେ ନିଯୁକ୍ତ ହେବା ପରେ ପିଆରଏମ ହସ୍ପିଟାଲ ତଥା ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଏକ ଖୁସି ଖବର ଥିଲା । ବର୍ତ୍ତମାନ ରାଜ୍ୟର ନୂଆ DMET ହେଉଛନ୍ତି ଡ଼ ସଚ୍ଚିଦାନନ୍ଦ ମହାନ୍ତି । ଯିଏ କି ଏମ୍ସରେ ଦୀର୍ଘ ଦିନ ଧରି ଅଧିକ୍ଷକ ଭାବରେ କାର୍ଯ୍ୟ ସୁଚାରୁରୂପେ କରି ଆସିଛନ୍ତି । ଏମ୍ସରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥା ଅସମାହିତ ଜଟିଳ ମାମଲାର ସମାଧାନ କରିବାକ୍ଷେତ୍ରରେ ଏମ୍ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ଡକ୍ଟର ସଚ୍ଚିଦାନନ୍ଦ ମହାନ୍ତିଙ୍କ ଅଧିକ ଯୋଗଦାନ ରହିଛି । ଏହାସହ ମେଡ଼ିକାଲର ମ୍ୟାନେଜମେଣ୍ଟ ଓ ରୋଗୀମାନଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର ଆଣିବା, ବିଭାଗୀୟ ବିଭିନ୍ନ କାର୍ଯ୍ୟକୁ ସୁଚାରୁ ରୂପେ ବହନ କରିବା ଆଦି ବହୁ ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ କରିଛନ୍ତି ସଚ୍ଚିଦାନନ୍ଦ ମହାନ୍ତି । ରାଜ୍ୟ ନୂଆ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେବାପରେ ଏହି ଦାୟିତ୍ବକୁ ମଧ୍ୟ ସୂଚାରରୂପେ ତୁଲାଇବା ନେଇ ଆଶା କରାଯାଉଛି ।