ଓଡିଶା

odisha

By

Published : May 19, 2023, 7:39 AM IST

ETV Bharat / state

ସତ୍ୟବାନଙ୍କ ପାଇଁ ସାବିତ୍ରୀ ବ୍ରତ, ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀଙ୍କ ପୂଜାର୍ଚ୍ଚନା

ଆଜି ପବିତ୍ର ସାବିତ୍ରୀ ବ୍ରତ । ପ୍ରତିଟି ସଧବାଙ୍କ ପାଇଁ ଆଜିର ଦିନଟି ଗୁରୁତ୍ବବହନ କରିଥାଏ । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ପୂଜାର୍ଚ୍ଚନା କରିଛନ୍ତି ସ୍ତ୍ରୀ । ଅଧିକ ପଢନ୍ତୁ

sabitri brata
ଆଜି ସାବିତ୍ରୀ ବ୍ରତ

ଭୁବନେଶ୍ବର:ଆଜି ପବିତ୍ର ସାବିତ୍ରୀ ବ୍ରତ । ଏନେଇ ଚଳ ଚଞ୍ଚଳ ଗାଁଠୁ ସହର । ହିନ୍ଦୁ ମହିଳାଙ୍କ ପାଇଁ ଏହି ଦିନଟି ସ୍ବତନ୍ତ୍ର । ଦିନଟି ପ୍ରତି ସଧବାଙ୍କ ପାଇଁ ଗୁରୁତ୍ବ ବହନ କରିଥାଏ । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ସ୍ତ୍ରୀ । ସକାଳୁ ସକାଳୁ ସ୍ବାମୀଙ୍କ ପାଇଁ ପୂଜାର୍ଚ୍ଚନା କରିବାକୁ ମନ୍ଦିରରେ ଲମ୍ବା ଧାଡି ଲାଗିଛି । ମଥାରେ ସିନ୍ଦୁର ହାତରେ ଚୁଡି ଓ ରଙ୍ଗ ବେରଙ୍ଗର ଶାଢୀ ପିନ୍ଧି ସତ୍ୟବାନଙ୍କ ପାଇଁ ପୂଜା କରିବାକୁ ମନ୍ଦିରରେ ସାବିତ୍ରୀଙ୍କ ଭିଡ ଲାଗିଛି । ସଧବାର ସମ୍ପତ୍ତି ଶଙ୍ଖା, ସିନ୍ଦୁରକୁ ବଜ୍ର ରଖିବା ପାଇଁ ମାନସିକ କରି ବ୍ରତ ପାଳିଛନ୍ତି ପତ୍ନୀ ।

ପରମ୍ପରା ଅନୁସାରେ ବିବାହିତା ମହିଳାମାନେ ଏହି ବ୍ରତ ପାଳନ କରିଥାନ୍ତି । ଜୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ ହୁଏ । ପ୍ରାଣପ୍ରିୟଙ୍କ ଦୀର୍ଘ ଜୀବନ ମନାସି ସାବିତ୍ରୀ ବ୍ରତ ପାଳନ କରିଛନ୍ତି ପତ୍ନୀ । ସ୍ବାମୀଙ୍କ ମଙ୍ଗଳ ମନାସୀ ନିଶ୍ବାସ ଥିବାଯାଏ ସଧବା ରହିବାକୁ ଏହି ଓଷା ପାଳନ କରିଛନ୍ତି । ସକାଳୁ ପୂଜା ଥାଳି ଧରି ସଜେଇ ହୋଇ ନିର୍ଜଳା ବ୍ରତ କରି ମନ୍ଦିରରେ ପୂଜା କରିଛନ୍ତି । ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା' ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ । ଦେବୀ ସାବିତ୍ରୀଙ୍କ ମାନବୀ ସାବିତ୍ରୀଙ୍କ ପ୍ରତି ଆଶୀର୍ବାଦ ଓ କରୁଣା କିପରି ସତ୍ୟବାନଙ୍କୁ ମୃତ୍ୟୁକବଳରୁ ଫେରାଇ ଆଣିଥିଲେ ତାହାକୁ ଆଧାର କରି ମା' ସାବିତ୍ରୀଙ୍କୁ ପୂଜା କରାଯାଏ ।

ଫଳ ରେଟ ପ୍ରବଳ: ସାବିତ୍ରୀ ବ୍ରତ ପାଇଁ ଫଳ ବଜାରରେ ଗ୍ରାହକଙ୍କ ଭିଡ ଲାଗିଛି । ବିଭିନ୍ନ ପ୍ରକାର ଫଳ ପସରା ମେଲିଛି । ହେଲେ ଫଳ ବଜାରରେ ନିଆଁ ଲାଗିଛି । ଆକାଶ ଛୁଆଁ ହୋଇଛି ଫଳ ରେଟ । ଫଳ ଦର ଏତେ ଯେ ହାତ ମାରି ହେଉନି କି ବ୍ୟାଗ ଭରୁ ନାହିଁ । ସେଓ କିଲୋ 250 ହୋଇଥିବା ବେଳେ ଲିଚୁ 150 ଟଙ୍କା ହୋଇଥିବା ବେଳେ ଆମ୍ବ କିଲୋ 80 ଟଙ୍କା, ଅଙ୍ଗୁରୁ 120, ନଡିଆ ଗୋଟା 30ରୁ 35 ଟଙ୍କା ରହିଛି । ମହଙ୍ଗା ମାଡ ଭିତରେ ବି ସାବିତ୍ରୀଙ୍କ ପାଇଁ ସତ୍ୟବାନ ଭଳି କି ଭଳି ଫଳ କିଣିଛନ୍ତି ।

କଣ କହେ କିମ୍ବଦନ୍ତୀ:ଅଶ୍ବପତି ନାମରେ ଜଣେ ରାଜା ଥିଲେ । ରାଜା ନିଃସନ୍ତାନ ଥିବାରୁ ପୁତ୍ରସନ୍ତାନ ପାଇଁ ଦେବୀଙ୍କ ପାଖରେ ମିନତୀ କଲେ । ଦେବୀ ରାଜାଙ୍କୁ ପୁତ୍ରସନ୍ତାନ ଲାଭ କରିବା ଯୋଗ ନଥିବା ସୂଚାଇ ଦେଲେ ଏବଂ କନ୍ୟା ସନ୍ତାନ ଦେବାକୁ ଆଶୀର୍ବାଦ ଦେଇଥିଲେ । ଦେବୀଙ୍କ କୃପାରୁ ଅଶ୍ବପତିଙ୍କ ପତ୍ନୀଙ୍କ କୋଳରେ କନ୍ୟାଟିଏ ଜାତ ହେଲା । ସାବିତ୍ରୀ (ଗାୟତ୍ରୀ)ଙ୍କୁ ଉପାସନା କରି ତାଙ୍କ ଆଶୀର୍ବାଦରୁ କନ୍ୟା ସନ୍ତାନଟିଏ ଲାଭ କରି ତାହାର ନାମ ସାବିତ୍ରୀ ରଖିଥିଲେ ରାଜା ଅଶ୍ବପତି । ଗାୟତ୍ରୀ କ୍ରମେ ଯୌବନରେ ପାଦ ଦେବାପରେ ପିତା ଅଶ୍ବପତିଙ୍କ ଆଦେଶ ମତେ ନିଜ ଇଚ୍ଛାରେ ବର ଖୋଜିବାକୁ ବାହାରିଲେ । ରାଜା ଦ୍ୟୁମତସେନଙ୍କ ଔରସରେ ଶୈବ୍ୟାଙ୍କ ଗର୍ଭରୁ ସତ୍ୟବାନ ଜନ୍ମଗ୍ରହଣ କରିଥିଲେ । ସତ୍ୟବାନଙ୍କ ଶୈଶବସ୍ଥାରେ ଦ୍ୟୁମତସେନ ବନବାସୀ ହୋଇଥିଲେ । ସତ୍ୟବାନ ବଣରେ ଫଳମୂଳ ଖାଇ ମୁନିବୃତ୍ତି ଅବଲମ୍ବନ କରି ଭକ୍ତି ସହକାରେ ପିତାମାତାଙ୍କର ସେବା କରୁଥିଲେ।

ସାବିତ୍ରୀ ଭ୍ରମଣ କରୁ କରୁ ସେହି ବଣରେ ପହଞ୍ଚି ସତ୍ୟବାନଙ୍କ ଅସୀମ ପିତୃଭକ୍ତିରେ ମୁଗ୍ଧ ହୋଇ ତାଙ୍କୁ ଜୀବନସାଥୀ କରିବାକୁ ସଂକଳ୍ପ କରିଥିଲେ । ସତ୍ୟବାନଙ୍କୁ ପତି ରୂପେ ପାଇବାକୁ ପିତାଙ୍କୁ ଜଣାଇଥିଲେ । ବିବାହ ପରେ ସାବିତ୍ରୀ ବିଳାସ ଓ ଦାସଦାସୀ ବର୍ଗଙ୍କୁ ତ୍ୟାଗ କରି ସ୍ବାମୀଙ୍କ ସହିତ ତପୋବନରେ ରହି ଶାଶୁ ଓ ଶ୍ବଶୁରଙ୍କ ସେବା କରିଥିଲେ ।

ବିବାହର କିଛିଦିନ ପରେ ସତ୍ୟବାନଙ୍କ ପ୍ରାଣହାନୀ ଘଟିଥିଲା । ମାତ୍ର ସାବିତ୍ରୀ ତାଙ୍କ ନିଷ୍ଠା ଏବଂ ପତିବ୍ରତା ବଳରେ ଯମଙ୍କ ନିକଟରୁ ନିଜ ସ୍ବାମୀଙ୍କୁ ଫେରାଇ ଆଣିଥିଲେ । ସାବିତ୍ରୀଙ୍କ ଭଲପାଇବା ଆଗରେ ହାର୍ ମାନି ଯମ ବି ସତ୍ୟବାନଙ୍କ ଜୀବନ ଫେରାଇ ଦେଇଥିଲେ । ସେବେଠାରୁ ସ୍ବାମୀଙ୍କ ସୁସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ କାମନା କରି ସଧବାମାନେ ସାବିତ୍ରୀ ବ୍ରତ ପାଳନ କରି ଆସୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details