ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ଜେରାବେଳେ ସାମ୍ନାକୁ ଆସିଲା ରୋଚକ ତଥ୍ୟ । ମୃତ ଋଷୀୟ ପର୍ଯ୍ୟଟକଙ୍କ ସହ ରାୟଗଡ଼ା ଆସିଥିବା ଋଷୀୟ ଦମ୍ପତି ମସ୍କୋ ଖସିଯିବାକୁ ଉଦ୍ୟମ କରିଥିଲେ । ବ୍ରହ୍ମପୁର ଷ୍ଟେସନରୁ ସେମାନଙ୍କୁ ଆଣି ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଆସିବା ପରେ ଏବେ ଏହି ଦମ୍ପତିଙ୍କ ଉପରେ ସନ୍ଦେହ ଘନୀଭୂତ ହୋଇଛି ।
ସୂଚନା ଅନୁସାରେ ଋଷୀୟ ଦମ୍ପତି ତୁରୋଭ ମିଖାଇଲ ଓ ପାନାସେଙ୍କୋ ନତାଲିଆ ସ୍ଥାନୀୟ ପୋଲିସର ଅନୁମତି ନେଇ ବ୍ରହ୍ମପୁରରୁ ଟ୍ରେନ ଯୋଗେ ଓ ପରେ କୋଲକତା ପହଞ୍ଚିବା ପରେ ଫ୍ଲାଇଟ୍ ଯୋଗେ ମସ୍କୋ ଯିବା ପାଇଁ ଯୋଜନା କରିଥିଲେ । ତେବେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଅନେକ ସନ୍ଦେହ ଆସୁଥିବାବେଳେ ଏହି ଦମ୍ପତି ଖସି ଯିବାକୁ ଉଦ୍ୟମ କରିବା ସନ୍ଦେହକୁ ବଢ଼ାଇଛି । ପ୍ରଶ୍ନ ଉଠିଛି ଏହି ଦମ୍ପତି ମସ୍କୋ ଯିବା ନେଇ ଋଷ ଦୂତାବାସକୁ ଯୋଗାଯୋଗରେ ଥିଲେ କି ? ଋଷୀୟ ଏମ୍ବାସି ଅଧିକାରୀ ଏହି ଦମ୍ପତିଙ୍କୁ କ୍ଲିନ୍ଚିଟ୍ ସାର୍ଟିଫିକେଟ ଦେଇଥିଲେ କି ? ଅନ୍ୟପଟେ ବିଭିନ୍ନ ଦୂତାବାସରୁ କ୍ଲିନଚିଟ୍ ସାର୍ଟିଫିକେଟ, ଡେଥ ସାର୍ଟିଫିକେଟ ଜରିଆରେ ମିଳିଥାଏ ।