ଭୁବନେଶ୍ବର:ଋଷ ନାଗରିକ ମୃତ୍ୟୁକୁ ନେଇ ପୁଣି ବଢିଲା ସସପେନ୍ସ । ଭୁବନେଶ୍ବରରେ ଠାବ ହେଲେ ଆଉ ୨ଜଣ ବିଦେଶୀ (Two more foreigners found in Bhubaneswar) । ଗତ କିଛି ଦିନ ଧରି ରାଜ୍ୟରେ ଏଭଳି ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜି ଭୁବନେଶ୍ବରରେ ଦୁଇ ବିଦେଶୀ ପର୍ଯ୍ୟଟକ ବିନା ମସିହାରେ ବୁଲୁଥିବା ଠାବ ହୋଇଛନ୍ତି । ଭୁବନେଶ୍ବର ଡିସିପି ଅଫିସରେ ଜଣେ ଆମେରୀକୀୟ ଯୁବକ ଓ ଜାପାନିଜ୍ ଯୁବକ ଠାବ ହୋଇଥିବା ଜଣାପଡ଼ିଛି ।
ଏହି ୨ ବିଦେଶୀ ଠାବ ହେବା ପରେ ରାଜ୍ୟରେ ଯେପରି ଅବାଧ ପ୍ରବେଶ ବାଟ ମୁକୁଳା ପଡ଼ିଥିବା ମନେ ହେଉଛି । ଏହି ୨ ବିଦେଶୀଙ୍କ ମଧ୍ୟରୁ ଜଣେ ଆମେରିକୀୟ ନାଗରିକ ଏଲେନର ପାସପୋର୍ଟ ବୈଧତା (Passport Valid) ଥିବା ବେଳେ ଭିସା ସରିଯାଇଛି । ଅନ୍ୟ ଜଣେ ଜାପାନ ନାଗରିକ ଯୋଗୀ ଯାହାଙ୍କର ନା ପାସପୋର୍ଟ ଅଛି ନା ଭିସା । ସେ ମଧ୍ୟ ପୁରୀର ଏକ ହୋଟେଲରେ ରୋଷେୟା (Chef) ଭାବେ କାମ କରିଆସୁଛନ୍ତି । ଦୁଇ ବିଦେଶୀ ଏଭଳି ବେଆଇନ ଭାବେ ରହଣି ନେଇ ଖବର ପାଇବା ପରେ ଭୟରେ ଭୁବନେଶ୍ବରରେ ରହୁଥିବା ଡିସିପି ଅଫିସରେ ଯୋଗାଯୋଗ କରିଛନ୍ତି। ଏନେଇ ଦାୟିତ୍ବରେ ଥିବା ଅଧିକାରୀ ସେମାନଙ୍କୁ ସତର୍କ କରାଇଛନ୍ତି ।
କିଛି ଦିନ ତଳେ ରାୟଗଡ଼ାରେ ଋଷର ଦୁଇ ନାଗରିକ ଓ ପାରାଦ୍ବୀପରେ ଜଣେ ରଷୀୟ ନାଗରିକଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଏହାକୁ ନେଇ ଚହଳ ପଡ଼ିଛି। କାରଣ ଜଣେ ରଷର ସାଂସଦ ତଥା ପୁଟିନଙ୍କ କଡ଼ା ସାମାଲୋଚକ ପାଭେଲ୍ ଆଣ୍ଟୋଭଙ୍କ ମୃତ୍ୟୁ ପରେ ଏନେଇ ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି ହୋଇଛି । ଏଭଳି ଚର୍ଚ୍ଚା ସମୟରେ ଭୁବନେଶ୍ବରରୁ ଜଣେ ରଷ ନାଗରିକଙ୍କୁ ଷ୍ଟେସନରେ ଦେଖିବାକୁ ମିଳିଥିଲା । ପରେ ତାଙ୍କୁ ଉଦ୍ଧାର କରି ପୁରୀ ପଠାଇଥିଲା ଜିଆରପି ପୋଲିସ । ଏହାପରେ ତାଙ୍କର ଭିସା ଅବୈଧ ହୋଇଥିବା ବେଳେ ୨୦୧୬ରୁ ଆସି ବେଆଇନ ଭାବେ ଏଠାରେ ରହୁଥିବା ଜଣାପଡ଼ିଥିଲା ।