ଭୁବନେଶ୍ବର:ଆଜି ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ରଥରେ ବିଜେ କରି ଯାତ୍ରା କରିବେ ମହାପ୍ରଭୁ ଲିଙ୍ଗରାଜ, ଦୋଳଗୋବିନ୍ଦ ଓ ଉଭଣୀ ରୁକ୍ମିଣୀ । ଏଥିପାଇଁ ଚଳଚଞ୍ଚଳ ପୁରା ସହର । ରୁକୁଣା ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନିର୍ଦ୍ଧାରିତ ନୀତି ଅନୁଯାୟୀ ଭୋର ୫ଟାରୁ ମନ୍ଦିର ଦ୍ୱାର ଖୋଲିଛି । ପହଣ୍ଡି ନୀତି ପାଇଁ ଦିନ ସାଢେ ୧୨ଟାରେ କାର୍ଯ୍ୟକ୍ରମ ରହିଛି । ରଥ ଉପରେ ପୂଜା ସାଢେ ଗୋଟାଏରୁ ସାଢେ ୩ଟା ମଧ୍ୟରେ ସରିବା ପରେ ରଥ ଟଣା ଆରମ୍ଭ ହେବ । ସେହିପରି ସଂଧ୍ୟା ୭ଟା ସୁଦ୍ଧା ରାମେଶ୍ୱର ମନ୍ଦିରରେ ରଥ ପହଞ୍ଚିବା ଲାଗି ନିଷ୍ପତ୍ତି ହୋଇଛି । ପରେ ଲିଙ୍ଗରାଜ ମହାପ୍ରଭୁଙ୍କ ଅନ୍ୟାନ ନୀତିକାନ୍ତି ସମାପନ କରାଯିବ । ରଥଯାତ୍ରାକୁ ଶୃଙ୍ଖଳିତ ଢଙ୍ଗରେ କରିବାକୁ ସେବାୟତଙ୍କ ସମେତ ମନ୍ଦିର ପ୍ରଶାସନ, ବିଏମସି, ବିଦ୍ୟୁତ୍ ବିଭାଗ, ଜଳ ବିଭାଗ, ରେଡକ୍ରସ ଭଳି ବିଭିନ୍ନ ସଂସ୍ଥା ନିୟୋଜିତ ରହିବେ ।
ରୁକୁଣା ରଥଯାତ୍ରା ଲାଗି ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୧୨ ପ୍ଲାଟୁନ ଫୋର୍ସ ସହ ମହିଳା ପୋଲିସ ଅଧିକାରୀ ମଧ୍ୟ ନିୟୋଜିତ ହୋଇଛନ୍ତି । ଅନ୍ୟପକ୍ଷରେ ନିଲାମ ହୋଇଛି ମରିଚି କୁଣ୍ଡ ଜଳ । ବିଶ୍ୱାସ ରହିଛି ସନ୍ତାନ ସନ୍ତତି ହେଉ ନଥିବା ମହିଳା ମରିଚିକୁଣ୍ଡ ଜଳରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୋଇଥାନ୍ତି । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପୂର୍ବ ରାତ୍ରିରେ ମରିଚିକୁଣ୍ଡରୁ ଜଳ ନିଆଯାଇ ମହାପ୍ରଭୁଙ୍କ ରଥ ପ୍ରତିଷ୍ଠା କରାଯାଇଥାଏ । ଏହା ପରେ ମରିଚିକୁଣ୍ଡ ଜଳ ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଥାଏ ।