ଓଡିଶା

odisha

ETV Bharat / state

ସ୍କୁଲ ପିଲାଙ୍କୁ ସଡ଼କ ଦୁର୍ଘଟଣା ନେଇ ସଚେତନ କରାଯିବ, ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଓପେସାର ଚିଠି - ପିଲାଙ୍କୁ ସଡକ ଦୁର୍ଘଟଣା ନେଇ ସଚେତନ କରିବାକୁ ନିଷ୍ପତ୍ତି

ସ୍କୁଲ ପିଲାଙ୍କୁ ସଡକ ଦୁର୍ଘଟଣା ନେଇ ସଚେତନ କରିବାକୁ ନିଷ୍ପତ୍ତି । ଆସନ୍ତା 22 ତାରିଖରେ ପ୍ରଥମରୁ ଦଶମ ଶ୍ରେଣୀର ପିଲା ଓ ସେମାନଙ୍କ ଅଭିଭାବକଙ୍କୁ ସଚେତନ କରାଯିବ । ଅଧିକ ପଢ଼ନ୍ତୁ

road safety awareness programme  for student
ସ୍କୁଲ ପିଲାଙ୍କୁ ସଡ଼କ ଦୁର୍ଘଟଣା ନେଇ କରାଯିବ ସଚେତନ

By

Published : Apr 15, 2023, 10:45 PM IST

ଭୁବନେଶ୍ବର: ଅନେକ ସମୟରେ ସ୍କୁଲ ପିଲାମାନେ ରାସ୍ତାରେ ଯିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଯାହା ଟ୍ରାଫିକ ନିୟମ ଉପରେ ସଚେତନତାର ଅଭାବ ଦେଖିବାକୁ ମିଳିଛି । ଏଭଳି ଘଟଣା ପଛରେ ଏକ ପ୍ରମୁଖ କାରଣ ହେଉଛି ପିଲାଙ୍କୁ ସଚେତନତାର ଅଭାବ। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ପିଲାଙ୍କୁ ସଡ଼କ ଦୁର୍ଘଟଣା ନେଇ ସଚେତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି ଓଷେପା ପ୍ରକଳ୍ପ ନିର୍ଦ୍ଦେଶକ । ଆସନ୍ତା 22 ତାରିଖରେ ପ୍ରଥମରୁ ଦଶମ ଶ୍ରେଣୀର ପିଲାଙ୍କୁ ସଚେତନ କରାଯିବ । ତେବେ ଏହି ଦିନର ଶେଷ ପିରିୟଡ଼ରେ ସଚେତନ କାର୍ଯ୍ୟକ୍ରମ କରାଯିବ । ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଭିଭାବକଙ୍କ ସହ ପିଲାମାନେ ମଧ୍ୟ ଉପସ୍ଥିତ ରହିବେ ଏବଂ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ସଚେତନ କରାଇବେ ।

ସ୍କୁଲ ପିଲାଙ୍କୁ ସଡ଼କ ଦୁର୍ଘଟଣା ନେଇ କରାଯିବ ସଚେତନ
ପିଲାମାନଙ୍କ ପାଇଁ ସଡ଼କ ସୁରକ୍ଷା ନିୟମ କାର୍ଯ୍ୟକ୍ରମର ନିୟମାବଳୀଆସନ୍ତା ଏପ୍ରିଲ 22 ତାରିଖରେ (ଶନିବାର ) ପ୍ରତ୍ୟେକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ନିୟମ ଉପରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବ। ନିର୍ଦ୍ଧାରିତ ତାରିଖର ଶେଷ ପିରିୟଡରେ ଆଲୋଚନା କରାଯିବ। ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ସେମାନଙ୍କର ପିତାମାତାଙ୍କ ସହିତ ଯୋଗ ଦେବେ । ଜିଲ୍ଲାରେ ଥିବା ହେଲ୍ପଲାଇନର ନୋଡାଲ ଅଫିସର ଆବଶ୍ୟକତା ଅନୁଯାୟୀ ବିଷୟବସ୍ତୁ ଓ ନିୟମାବଳୀକୁ ପ୍ରତ୍ୟେକ ବିଦ୍ୟାଳୟରେ ପହଞ୍ଚାଇବାର ବ୍ୟବସ୍ଥା କରିବେ। ବିଦ୍ୟାଳୟର ଅଭିଜ୍ଞ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଆଲୋଚନା କରିବାପାଇଁ ଦାୟିତ୍ଵ ଦିଆଯିବ । ଆଲୋଚନା କରିବା ସମୟରେ ବିଭିନ୍ନ ଟ୍ରାଫିକ ନିୟମର ଚିତ୍ର ଗୁଡ଼ିକ କଳାପଟାରେ ଆଙ୍କି ବୁଝେଇବେ । ବିଦ୍ୟାଳୟ ସ୍ତରରେ ଏହି କାର୍ଯ୍ୟକ୍ରମ ଯେପରି ସୁଚାରୁରୂପେ ପରିଚାଳନା କରାଯିବ ସେନେଇ ଜିଲ୍ଲା ନୋଡାଲ ଅଫିସରମାନେ ଦୃଷ୍ଟି ଦେବେ । ତେବେ ଏହି କାର୍ଯ୍ୟକ୍ରମର ଫଟୋ ଉଠାଇ gouriprava1064@gmail.com ମେଲରେ ପିଠାଇବା ବ୍ୟବସ୍ଥା କରିବେ ଜିଲ୍ଲା ନୋଡାଲ ଅଫିସର । ପିଲାମାନଙ୍କ ପାଇଁ ସଡ଼କ ସୁରକ୍ଷା ନିୟମ ସମାଜକୁ ଶୃଙ୍ଖଳିତ ରଖିବା ପାଇଁ ସମୟ ସମୟରେ ବିଧିବିଧାନ ତିଆରି କରାଯାଇଥାଏ । କୌଣସି ନିୟମ ନ ଥାଇ ଯଦି ସମସ୍ତେ ନିଜ ଇଚ୍ଛାରେ କାମ କରିବେ ତା ହେଲେ ସମାଜରେ ବିଭ୍ରାଟ ଦେଖାଦେଇଥାଏ । ବିଦ୍ୟାଳୟ ଓ ଘରେ ପ୍ରଚଳିତ ନିୟମ ଗୁଡିକ ଭଙ୍ଗ' କଲେ ଆଇନ ଅନୁଯାୟୀ ଦଣ୍ଡ ବିଧାନ ହୋଇ ନଥାଏ । କିନ୍ତୁ ସମାଜରେ ପ୍ରଚଳିତ ନିୟମ ଭଙ୍ଗ କଲେ ଆଇନ ଅନୁସାରେ ଦଣ୍ଡ ବିଧାନ ହୋଇଥାଏ। ଠିକ ସେହିପରି ଯାତାୟତ ନିୟମ ଭଙ୍ଗ କଲେ ବିଭିନ୍ନ ପ୍ରକାରର ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି । କାହିଁକି ହୁଏ ଦୁର୍ଘଟଣା ?

ପିଲାମାନେ ସବୁବେଳେ ଚଞ୍ଚଳ ବା ଅସ୍ଥିର । ଯାହାଦ୍ବାରା କି ସେମାନେ କେତେବେଳେ ଓ କେଉଁଠି କ'ଣ କରନ୍ତି ଜାଣିପାରନ୍ତି ନାହିଁ (ରାସ୍ତାରେ, ଗହଳି ଜାଗାରେ ) । ସ୍କୁଲ ପିଲାମାନେ ରାସ୍ତାରେ ଗଲାବେଳେ ଗାଡ଼ିର ବେଗ ଓ ଦୂରତାକୁ ଅନୁମାନ କରି ପାରନ୍ତିନାହିଁ । ଯାହାଦ୍ବାରା ରାସ୍ତା ପାରି ହେବାବେଳେ ଦୁର୍ଘଟଣା ଘଟିଥାଏ । ଅନ୍ୟପଟେ ପିଲାମାନଙ୍କର ଉଚ୍ଚତା କମ ହୋଇଥିବାରୁ ବେଳେବେଳେ ଗାଡ଼ି ଚାଳକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ । ଟ୍ରାଫିକ ନିୟମ ଜାଣି ନଥିବାରୁ ପିଲାମାନେ ମନଇଚ୍ଛା ରାସ୍ତା ପାରହୋଇଥାନ୍ତି । ପିଲାମାନେ ବେଳେବେଳେ ଭୟରେ ଜାଣିପାରନ୍ତିନି ଯେ, ଗାଡି ପାଖେଇ ଆସିଲେ କଣ କରିବାକୁ ହେବ ଏବଂ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି ।

ସାଧାରଣ ଟ୍ରାଫିକ ନିୟମ

ସବୁଜ ରଙ୍ଗର ଲାଇଟ ଜଳିଲା ବେଳେ ଉଭୟ ବାମ ଓ ଡାହାଣ ପଟକୁ ଦେଖି ରାସ୍ତା ପାରିହେବା ଆବଶ୍ୟକ । ଟ୍ରାଫିକ ଛକରେ ଯେଉଁଠାରେ ଚାଲୁଥିବା ବ୍ୟକ୍ତିର ଚିତ୍ର ଥିବ ସେହି ସ୍ଥାନରେ ପାଦଚଲା ଯାତ୍ରୀମାନେ ରାସ୍ତା ପାର ହେବା ଉଚିତ । ଟ୍ରାଫିକ ପୋଷ୍ଟ ଛଡା ରାସ୍ତାର ଅନ୍ୟ ଯେଉଁଠି ରାସ୍ତା ପାରହେବାକୁ ହେଲେ ପ୍ରଥମେ ବାମ ଓ ଡାହାଣକୁ ଭଲ ଭାବେ ଦେଖିବେ । ଯଦି କୌଣସି ଗାଡ଼ି ଆସୁଥିବାର ଲକ୍ଷ୍ୟ କରିବେ ତେବେ ଗାଡ଼ି ଚାଲିଯିବା ପର୍ଯ୍ୟନ୍ତ ଅପେକ୍ଷା କରି ରାସ୍ତା ପାରହେବେ । ପିଲାମାନେ ରାସ୍ତାରେ ଗଲାବେଳେ ମୋବାଇଲରେ କଥାହେବା, ଗୀତ ଶୁଣିବା , ଇୟର ଫୋନ ବ୍ୟବହାର କରିବା, ମେସେଜ ଓ ବହି ଇତ୍ୟାଦି ପଢିବା ଓ ହୋର୍ଡିଂ ଆଦି ଦେଖିବା ଉଚିତ ନୁହେଁ । ଏପରି କଲେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ଥାଏ । ସାଙ୍ଗସାଥୀମାନଙ୍କ ସହିତ ରାସ୍ତା ମଝିରେ ଠିଆ ହୋଇ ବାର୍ତ୍ତାଳାପ କରିବା ଉଚିତ ନୁହେଁ । ସାମ୍ନାରେ ଯାଉଥବା ଗାଡ଼ିକୁ ଅତିକ୍ରମ କରିବାକୁ ହେଲେ ଗାଡ଼ିର ଡାହାଣ ପଟେ ଅତିକ୍ରମ
କରିବା ଉଚିତ ।

ସ୍ଥିର ଅବସ୍ଥାରେ ଥିବା ଦୁଇଟି ଗାଡ଼ି ମଧ୍ୟ ଦେଇ ରାସ୍ତା ପାରହେବା ଉଚିତ ନୁହେଁ। ଗାଡ଼ିର ପଛ ପାଖଦେଇ ଗତି କଲାବେଳେ ଗାଡ଼ିଟି ସ୍ଥିର ଅବସ୍ଥାରେ ଅଛି କି ନାହିଁ କେତେ ବେଗରେ ଯାଉଛି ତାହା ଲକ୍ଷ କରି ଆଗକୁ ଅଗ୍ରସର ହେବେ । ରାତ୍ରିରେ ଅନ୍ଧାର ରାସ୍ତାରେ ଗଲାବେଳେ ହଲ୍ଲା (light) ରଙ୍ଗର ପୋଷାକ ପିନ୍ଧିବା ଉଚିତ । କାରଣ ଗାଡ଼ି ଚାଳକଙ୍କୁ ଅନ୍ଧାରରେ ଗାଢ ରଙ୍ଗ ଦୃଶ୍ୟମାନ ହୁଏ ନାହିଁ ଓ ଦୁର୍ଘଟଣା ହେବାର ସମ୍ଭାବନା ଥାଏ । ତୀକ୍ଷ୍ମ ମୋଡ଼ରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ । ଏପରି ମୋଡମାନଙ୍କରେ ଗାଡି ଆସୁଛି କି ନାହିଁ ଜାଣିବା କଷ୍ଟକର । ସାଧାରଣତଃ ଏପରି ସ୍ଥାନ ମାନଙ୍କରେ ଗାଡ଼ି ଗୁଡିକ ହର୍ଣ୍ଣ ବଜାଇ ଆସୁଥାଏ । ତେବେ ଉକ୍ତ ସବୁ ସ୍ଥାନମାନଙ୍କରେ ହର୍ଣ୍ଣ ବଜୁଛି କି ନାହିଁ ତାହାକୁ ନଜର ଦେବାକୁ ପଡ଼ିବ। ରାସ୍ତାର ଉଭୟ ପାର୍ଶ୍ଵରେ ପାଦଚଲା ପଥ ଥିଲେ, ଯଥା ସମ୍ଭବ ତାକୁ ବ୍ୟବହାର କରିବା ଉଚିତ । ବସ କିମ୍ବା ଗାଡ଼ିରେ ଯିବା ସମୟରେ ହାତ ତଥା ମୁଣ୍ଡ ବାହାରକୁ କାଢିବା ଉଚିତ ନୁହେଁ । ଏପରି କଲେ ବିପରୀତ ଦିଗରୁ ଆସୁଥିବା ଯାନବାହାନ ଦ୍ବାରା କ୍ଷତ ବିକ୍ଷତ ହେବାର ସମ୍ଭାବନା ଅଧିକ ଥାଏ । ଅନେକ ସମୟରେ ଗାଈ, ଛେଳି, ବିଲେଇ, କୁକୁର ଆଦି ରାସ୍ତା ଉପରେ ବୁଲୁଥାନ୍ତି । ଏହି ସମୟରେ ଅଚାନକ ଗାଡ଼ି ସମ୍ମୁଖକୁ ଆସିଯାଇଥାନ୍ତି । ଯାହା ଦ୍ଵାରା ଦୁର୍ଘଟଣା ହେବାର ସମ୍ଭାବନା ଥାଏ । ସେଥିପାଇଁ ରାସ୍ତାର ଦୁଇ ପାର୍ଶ୍ୱକୁ ଦେଖି ସଜାଗ ରହିଲେ ଏପରି ଦୁର୍ଘଟଣା ସ୍ଥିତିକୁ ଟାଳି ହେବ ।

ସାଇକେଲରେ ଯାଉଥିଲେ କିପରି ସୁରକ୍ଷିତ ରହିବେ ?

ସ୍କୁଲକୁ ଯିବା ସମୟରେ ନିୟମାବଳୀକୁ ମାନିକରି ସାଇକଲ ଚଲାଇଲେ ଦୁର୍ଘଟଣାରୁ ରକ୍ଷା ପାଇପାରିବେ । ସୁବିଧା ଅନୁଯାୟୀ ହେଲମେଟ ପିନ୍ଧିବା ଉଚିତ। ସାଇକେଲର ବ୍ରେକ, ଲାଇଟ, ହ୍ୟାଣ୍ଡଲ ଇତ୍ୟାଦି ନିୟମିତ ଭାବରେ ପରଖୁବା ଉଚିତ । ଯଦି ସାଇକଲ ପାଇଁ ସ୍ବତନ୍ତ୍ର ରାସ୍ତା ଥାଏ ତା'ହେଲେ ସେଇ ରାସ୍ତାରେ ଯିବା ଦରକାର । ସ୍ବତନ୍ତ୍ର ରାସ୍ତା ନ ଥିଲେ ରାସ୍ତାର ବାମ ପଟେ ତଥା ଯାନବାହନ ସହିତ ଆସ୍ତେଆସ୍ତେ ଯିବେ ଏବଂ ଭାରିଯାନ ପ୍ରତି ସତର୍କ ରହିବେ । ଅପରପାର୍ଶ୍ବରୁ ଆସୁଥିବା ଗାଡ଼ିଗୁଡିକୁ ରାସ୍ତାର ଡାହାଣ ପଟେ ଯିବାକୁ ଦେବା ଉଚିତ । ସାଇକଲରେ ଗଲାବେଳେ ହାତ ଧରାଧରି ହୋଇ ଚଲେଇବା ଅନୁଚିତ । ଏପରି କଲେ ଦୁର୍ଘଟଣା ହେବାର ସମ୍ଭାବନା ଥାଏ । ରାସ୍ତାରେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡ଼ି ଆସିଲେ ତାକୁ ବାଟ ଛାଡି ଦେବା ଉଚିତ। ବୁଲାଣିରେ ଗତି କଲାବେଳେ ବାମପଟକୁ ବୁଲିଲେ ବାମ ହାତ ଓ ଡାହାଣ ପଟକୁ ବୁଲିଲେ ଡାହାଣ ହାତ ଦେଖାଇ ପଛରେ ଆସୁଥିବା ଗାଡ଼ିକୁ ସୂଚନା ଦେବା ଉଚିତ। ଅନେକ ସମୟରେ ରାସ୍ତା ମଝି ଦେଇ ରେଳ ଲାଇନ ଯାଇଥାଏ । ଯଦି ଫାଟକ ଦିଆହୋଇଥାଏ, ତେବେ ଫାଟକ ତଳେ ଗଳିକରି ଯିବା ଉଚିତ ନୁହେଁ । ଯଦି ଫାଟକ ନ ଥାଏ, ତାହେଲେ ପ୍ରଥମେ ବାମ ଓ ଡାହାଣପଟକୁ ଦେଖିବା ଆବଶ୍ୟକ । ଯଦି କୌଣସି ଗାଡ଼ି ଆସିବାର ସମ୍ଭାବନା ନ ଥିବ ତେବେ ରେଳଲାଇନ ପାରିହେବା ଦରକାର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details