ଓଡିଶା

odisha

ପୃଥକ-ପୃଥକ ଦୁର୍ଘଟଣାରେ 2 ମୃତ

By

Published : Sep 28, 2020, 10:09 PM IST

ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟିଛି । ଖୋର୍ଦ୍ଧାରେ ଟ୍ରକ ଦୁର୍ଘଟଣାରେ ଜଣେ ଟ୍ରକଚାଳକଙ୍କର ମୃତ୍ୟୁ ହୋଇଥିବାବେଳେ ଢେଙ୍କାନାଳ ଜିଲ୍ଲାରେ ଏକ ସ୍କୁଟି ଚାଳକଙ୍କୁ ଚାପିଦେଲା ଯାତ୍ରୀବାହୀ ବସ୍ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୃଥକ ପୃଥକ ଦୁର୍ଘଟଣାରେ 2 ମୃତ
ପୃଥକ ପୃଥକ ଦୁର୍ଘଟଣାରେ 2 ମୃତ

ଖୋର୍ଦ୍ଧା/ଢେଙ୍କାନାଳ:ପୃଥକ ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟିଛି । ଖୋର୍ଦ୍ଧାରେ ଟ୍ରକ ଦୁର୍ଘଟଣାରେ ଜଣେ ଟ୍ରକଚାଳକଙ୍କର ମୃତ୍ୟୁ ହୋଇଥିବାବେଳେ ଢେଙ୍କାନାଳ ଜିଲ୍ଲାରେ ଏକ ସ୍କୁଟି ଚାଳକଙ୍କୁ ଚାପିଦେଲା ଯାତ୍ରୀବାହୀ ବସ୍ ।

ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣା ଘଟିଛି । ଯେଉଁଥିରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସ୍ଥଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ଯୋଡ଼ାରୁ ଗୋପାଳପୁର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ ସୁବୁଦ୍ଧିପାଟଣା ଛକ ନିକଟରେ ଖରାପ ହୋଇଯିବାରୁ ଟ୍ରକଟିକୁ ରାସ୍ତାରେ ଛିଡାକରି ଟ୍ରକ ଚାଳକ ଟ୍ରକ ତଳେ ପଶି ମରାମତି କରୁଥିଲେ ।

ଉକ୍ତ ସମୟରେ ଦ୍ରୁତଗତିରେ ଯୋଡ଼ାରୁ ଗୋପାଳପୁର ଯାଉଥିବା ଆଉ ଏକ କୋଇଲା ବୋଝେଇ ଟ୍ରକ ସେହି ସ୍ଥାନରେ ଆଇରନ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା ଫଳରେ ଟ୍ରକ ଚକା ତଳେ ଥିବା ଚାଳକଙ୍କ ଉପରେ ଚଢ଼ିଯାଇଥିଲା ଏବଂ ଘଟଣାସ୍ଥଳରେ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଥିଲା । ମୃତ ଗାଡ଼ି ଚାଳକଙ୍କ ନାମ ଶ୍ରୀକାନ୍ତ ନାୟକ (୪୫) ଏବଂ ତାଙ୍କ ଘର ନୂଆପଡା ବୋଲି ଜଣାପଡ଼ିଛି । ଅପରପକ୍ଷରେ ଧକ୍କା ଦେଇଥିବା କୋଇଲା ବୋଝେଇ ଟ୍ରକ ଚାଳକ ଗୁରୁତର ଭାବେ ଆହତ ହୋଇଥିବାସ୍ଥଳେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି । ଘଟଣାସ୍ଥଳରେ ନାଭଲ ଫାଣ୍ଡି ଅଧିକାରୀ ପହଞ୍ଚି ମୃତଦେହ ଏବଂ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛିନ୍ତି ।

ସେହିପରି ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏନଏଚ ୫୫ରେ ସ୍କୁଟି ଚାଳକଙ୍କୁ ଚାପିଦେଲା ଯାତ୍ରୀବାହୀ ବସ । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ତେବେ ମୃତକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କସିଆଡିହି ବାଲିସାହିର ପ୍ରଶାନ୍ତ ନାଏକ ବୋଲି ଜଣାପଡିଛି । ଏନଏଚ-୫୫ର ଢେଙ୍କାନାଳ ସଦର ଥାନା ତେନ୍ତୁଳିଆପଡ଼ା ନିକଟରେ ଘଟିଛି ଏହି ସଡକ ଦୁର୍ଘଟଣା । ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇଥିବା ବସ ଫେରାର ଅଛି । ଦୁର୍ଘଟଣା ଘଟିଥିବା ବସଟି ଅଭିଜିତ ନାନକ ବସ ଅନୁଗୋଳରୁ ଢେଙ୍କାନାଳ ଆଡକୁ ଆସୁଥିଲା । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା ଓ ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details