ଭୁବନେଶ୍ବର:ରାଜ୍ୟରେ ଯୁକ୍ତ ୩ ପାଠ୍ୟକ୍ରମରେ ସିଟ୍ ଖାଲି ରହିଛି । ଉଚ୍ଚଶିକ୍ଷା ବିଭାଗ ପୁଣି ଥରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ଆରମ୍ଭ କରିଛି । ନଭେମ୍ବର 4 ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବାବେଳେ ଯୁକ୍ତ ୩ ନାମଲେଖା ପାଇଁ ଆବେଦନ କରିପାରିବେ । ତେବେ ଉଚ୍ଚ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଥିବା ଦେଖିବାକୁ ମିଳୁଛି । ବୈଷୟିକ ଶିକ୍ଷା ପ୍ରତି ବଢୁଛି ଛାତ୍ରୀମାନଙ୍କ ଆଗ୍ରହ । ଏପଟେ ପାଠପଢା ଶେଷ ହେବା ପରେ ଚାକିରି ଆଶାରେ ରହୁଛନ୍ତି ହଜାର ହଜାର ଛାତ୍ରଛାତ୍ରୀ ।
ପୂର୍ବରୁ ପାରମ୍ପରିକ ଶିକ୍ଷା ପ୍ରଣାଳୀକୁ ଛାତ୍ରଛାତ୍ରୀ ମାନେ ଆପଣାଉଥିଲେ । ଦଶମ ଶ୍ରେଣୀ ପାସ ପରେ ଯୁକ୍ତ ୨, ଯୁକ୍ତ ୩ ଏବଂ ପିଜି ପାଠ୍ୟକ୍ରମକୁ ଆପଣାଉଥିଲେ । କିନ୍ତୁ ଏବେ ତାହା ଦେଖିବାକୁ ମିଳୁନାହିଁ । ତାହା ସମ୍ପୂର୍ଣ୍ଣ ଭାବରେ ବର୍ତ୍ତମାନ ବଦଳି ଯାଇଛି । ପାଠପଢା ଶେଷ ହେବା ପରେ ଚାକିରି ନିଯୁକ୍ତି ପାଇଁ ବଳାଉଛନ୍ତି ଯୁବପିଢି । ଫଳରେ ପାରମ୍ପରିକ ଉଚ୍ଚଶିକ୍ଷାରୁ ଯୁବପିଢିମାନେ ମୁହଁ ଫେରାଇବାକୁ ଲାଗିଲେଣି । ଯାହାକୁ ନେଇ ଚଳିତ ବର୍ଷ ଯୁକ୍ତ ତିନି ଏବ ପିଜି ପାଠ୍ୟକ୍ରମରେ ପାଖାପାଖି ଭାବରେ 90 ହଜାରରୁ ଅଧିକ ସିଟ ଖାଲି ପଡିଥିବା ଜଣାପଡିଛି ।
ସାମ୍ସ ତଥ୍ୟ ଅନୁଯାୟୀ, ଯୁକ୍ତ ୩ ପାଇଁ ରାଜ୍ୟରେ ରହିଛି 1 ହଜାର 47ଟି କଲେଜ । ଏହି କଲେଜ ଗୁଡିକରେ ରହିଛି 2 ଲକ୍ଷ 71 ହଜାର 91ଟି ସିଟ । ଏପର୍ଯ୍ୟନ୍ତ ନାମ ଲେଖାଇଛନ୍ତି 1 ଲକ୍ଷ 87 ହଜାର 138 ଜଣ ଛାତ୍ରଛାତ୍ରୀ । ଆଉ ଖାଲି ପଡିଛି 83 ହଜାର 953ଟି ସିଟ୍ । ସେହିଭଳି ଭାବରେ 110ଟି ଶିକ୍ଷାନୁଷ୍ଠାନରେ ରହିଛି 27 ହଜାର 816ଟି ପିଜି ପାଠ୍ୟକ୍ରମର ସିଟ୍ । ଏଥିରେ ପ୍ରାୟ 10 ହଜାର ସିଟ୍ ଖାଲି ପଡିଛି । ଏପଟେ କିନ୍ତୁ ବିଏଡ ଓ ଏମଏଡ ପାଇଁ 28ଟି ଶିକ୍ଷାନୁଷ୍ଠାନରେ ରହିଛି 2 ହଜାର 350ଟି ସିଟ୍ । ତେବେ ଏହି ପାଠ୍ୟକ୍ରମରେ ପ୍ରାୟ 90 ପ୍ରତିଶତ ସିଟ୍ ପୂରଣ ହୋଇଥିବା ସୂଚନା ମିଳିଛି ।