ଓଡିଶା

odisha

ETV Bharat / state

ମେଟ୍ରୋ ପ୍ରକଳ୍ପ ଅଗ୍ରଗତି ସମୀକ୍ଷା କଲା ସିସିସି; DPR ପ୍ରସ୍ତୁତ କରିବ DMRC - ମେଟ୍ରୋ ରେଳ ପ୍ରସ୍ତାବ

ସିସିସି ବୈଠକରେ ଭୁବନେଶ୍ବର-କଟକ ମେଟ୍ରୋ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା । ମେଟ୍ରୋ ଚଳାଚଳ ପାଇଁ ଡିପିଆର ପ୍ରସ୍ତୁତ କରିବ ଡିଏମଆରସି । ଅଧିକ ପଢନ୍ତୁ

ସହର ସମନ୍ବୟ କମିଟି ବୈଠକ
ସହର ସମନ୍ବୟ କମିଟି ବୈଠକ

By

Published : Apr 25, 2023, 10:01 AM IST

ଭୁବନେଶ୍ବର:ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ରୌପ୍ୟନଗରୀ କଟକକୁ ଗଡ଼ିବ ମେଟ୍ରୋ ଟ୍ରେନ । ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ରେଳ ପ୍ରସ୍ତାବକୁ ଅନୁମୋଦନ କରିବା ସହ ଏନେଇ ଉଚ୍ଚସ୍ତରୀୟ ସର୍ଭେ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ ମିଳିଛି । ମେଟ୍ରୋ ଟ୍ରେନ ଭୁବନେଶ୍ବର-କଟକ-ପୁରୀକୁ ସଂଯୋଗ କରିବ । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଚନ୍ଦ୍ରଶେଖରପୁର ଦେଇ ସଂଯୋଗ କରିବ । ଏହା ଏୟାରପୋର୍ଟରୁ ବାହାରି ରେଳ ଷ୍ଟେସନ, ବାଣୀବିହାର, ପଟିଆ, ନନ୍ଦନକାନନ ଦେଇ ତ୍ରିଶୁଳିଆକୁ ଯୋଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ନୂଆ କରି ଗଢ଼ା ହୋଇଥିବା ସହର ସମନ୍ବୟ କମିଟି (ସିସିସି) ପକ୍ଷରୁ ଏହାର ଅଗ୍ରଗତି ନେଇ ଗତକାଲି(ସୋମବାର) ସମୀକ୍ଷା କରାଯାଇଛି ।

ମେଟ୍ରୋ ପ୍ରକଳ୍ପ ପାଇଁ ବସିଲା ସିସିସି ବୈଠକ

ସିସିସି ଅଧ୍ୟକ୍ଷ ତଥା ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଉପାଧ୍ୟକ୍ଷ ବଲୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହି ମେଟ୍ରୋ କାମ କିପରି ସୁରୁଖୁରୁରେ ଆଗେଇବ ଓ ଏନେଇ ସମସ୍ତ ବିଭାଗ ମଧ୍ୟରେ କିପରି ସମନ୍ବୟ ରକ୍ଷା କରାଯାଇ କାମ ତ୍ବରାନ୍ବିତ କରାଯିବ ସେନେଇ ଆଲୋଚନା କରାଯାଇଛି । ବିଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମନ୍ବୟ ବୈଠକରେ ପ୍ରସ୍ତାବିତ ମେଟ୍ରୋର ଡ୍ରାଫ୍ଟ ଆଲାଇନମେଣ୍ଟ ଏବଂ ଅନ୍ୟ ଆବଶ୍ୟକତା ଉପରେ ଆଲୋଚନା ହୋଇଛି । ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍(ଓଆରଆଇଡିଏଲ) ଅପରେସନ୍ ନିର୍ଦ୍ଦେଶକ ମେଟ୍ରୋ ଆଲାଇନମେଣ୍ଟ, ବହୁ ଘରୋଇ ସଂସ୍ଥାଙ୍କ ଏକକୀକରଣର ଆବଶ୍ୟକତା ଥିବା ଦର୍ଶାଇଥିଲେ । ସ୍ବଳ୍ପ ସମୟ ମଧ୍ୟରେ ଭୁବନେଶ୍ବର ମେଟ୍ରୋ ଲାଗି ଡିପିଆର ଓ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବା ଓ କାମ ଆରମ୍ଭ କରିବା ବଡ଼ ଚାଲେଞ୍ଜ ହେବ ବୋଲି ପ୍ରକାଶ ପାଇଥିଲା ।

ମେଟ୍ରୋ ପ୍ରକଳ୍ପ ପାଇଁ ବସିଲା ସିସିସି ବୈଠକ

ଓଆରଆଇଡିଏଲ ପକ୍ଷରୁ ଡିପିଆର ପ୍ରସ୍ତୁତି ନେଇ ସଂକ୍ଷିପ୍ତ ସୂଚନା ଦିଆଯାଇଥିବା ବେଳେ ଦିଲ୍ଲୀ ମେଟ୍ରୋ ରେଳ ନିଗମ(ଡିଏମଆରସି)କୁ ଏହି କାର୍ଯ୍ୟରେ ନିଯୁକ୍ତ କରାଯାଇଛି । ଯାହାକି ଦିଲ୍ଲୀ ଭଳି ଏଠାରେ ମଧ୍ୟ ଡିପିଆର ପ୍ରସ୍ତୁତ କରିବ । ଏହାବାଦ ବୈଠକରେ ପ୍ରସ୍ତାବିତ ପ୍ରକଳ୍ପ, ବିକାଶମୂଳକ କାର୍ଯ୍ୟରେ ଆବଶ୍ୟକ ଥିବା ତଥ୍ୟ ଏବଂ ଟ୍ରେଣ୍ଡର ନେଇ ମଧ୍ୟ ଆଲୋଚନା ହୋଇଛି । ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି କାମକୁ ସୁଗମ କରିବାକୁ ବିଡିଏ ଉପାଧ୍ୟକ୍ଷ କହିଛନ୍ତି ।


ଅନ୍ୟପଟେ ଡିପିଆର ପ୍ରସ୍ତୁତ ସହ ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଏବଂ ପୁରୀର ଅନ୍ୟାନ୍ୟ ଅଞ୍ଚଳକୁ ମେଟ୍ରୋ ନେଟୱାର୍କ ଲାଗି ମାଷ୍ଟରପ୍ଲାନ ମଧ୍ୟ ପ୍ରସ୍ତୁତ ହେବ । ବିଶ୍ୱସ୍ତରରେ ମେଟ୍ରୋ ସିଷ୍ଟମର ସର୍ବୋତ୍ତମ ମାନଦଣ୍ଡକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏହାକୁ ଏକ ଚାଲେଞ୍ଜ ଭାବେ ଭାବରେ ଗ୍ରହଣ କରିଛନ୍ତି । ବୈଠକରେ ଇଡକୋ ମୁଖ୍ୟ ପରିଚାଳକ, ବିଏମସି କମିଶନର, ଅତିରିକ୍ତ ପୋଲିସ୍ କମିଶନରଙ୍କ ସହ ବହୁ ଅଧିକାରୀ ଉପସ୍ଥିତ ଥିଲେ । ମେଟ୍ରୋ କାମ ଲାଗି ଭୁବନେଶ୍ବରରେ ଓଆରଆଇଡିଏଲକୁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇଦେବା ସହ ଏହାର ବିକାଶ କାର୍ଯ୍ୟକୁ ସୁନିଶ୍ଚିତ କରିବା ଲାଗି ସବୁ ବିଭାଗ ଏକ ହେବା ଜରୁରୀ ବୋଲି ଏହି ଅବସରରେ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details