ଭୁବନେଶ୍ବର: କୋଟିଆ ସୀମା ବିବାଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ମାସେ ମହଲତ ଦେଇଛି ରାଜ୍ୟ ବିଜେପି । ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା କରି କୋଟିଆ ସମସ୍ୟାର ସମାଧାନ କରିବାକୁ ସମୟ ଦେଇଛି ଦଳ । ନଚେତ ରାଜ୍ୟବ୍ୟାପୀ 'ଅଯୋଗ୍ୟ ମୁଖ୍ୟମନ୍ତ୍ରୀ ଗାଦି ଛାଡ଼' ଆନ୍ଦୋଳନ କରିବ ବିଜେପି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ । କୋଟିଆ ପାଇଁ ଯଦି ବିଜେପି କାନ୍ଦୁଛି, ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କେନ୍ଦ୍ର ସରକାର ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ବୋଲି ପ୍ରମିଳା କହିଛନ୍ତି ।
ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, "ସୁପ୍ରିମକୋର୍ଟ ଦୁଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦାୟିତ୍ବ ଦୁଇ ରାଜ୍ୟକୁ ଡାକି ସମସ୍ୟାର ସମାଧାନ କରିବା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ସଙ୍ଗେ ସଙ୍ଗେ କାର୍ଯ୍ୟକାରୀ କରିବାକୁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛୁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଯଦି ସେମାନେ କାର୍ଯ୍ୟକାରୀ ନକରିବେ, ତାହାଲେ ନିଜ ଦଳର ପ୍ରଚାର ପ୍ରସାର ପାଇଁ ଏମିତି କରୁଥିବେ । ପ୍ରକୃତରେ ସେମାନେ କୋଟିଆ ପାଇଁ କାନ୍ଦୁନାହାନ୍ତି । ଯଦି କୋଟିଆ ପାଇଁ କାନ୍ଦୁଥାଆନ୍ତେ ସେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରନ୍ତେ । ଉଭୟ ରାଜ୍ୟକୁ ଡାକି ସୀମା ନିର୍ଦ୍ଧାରଣ ଅଡ଼ୁଆ ତୁଟାନ୍ତେ ।"