ଭୁବନେଶ୍ବର: ବିଜେଡି ପର୍ଯ୍ୟବେକ୍ଷକ ତାଲିକାରେ ଅଦଳବଦଳ ହୋଇଛି । ସମ୍ବଲପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାନସ ମଙ୍ଗରାଜଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ମାନସ ମଙ୍ଗରାଜ ବ୍ରହ୍ମପୁର ଲୋକସଭା ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବ ତୁଲାଇବା ସହିତ ସମ୍ବଲପୁର ସଂସଦୀୟ କ୍ଷେତ୍ରର ଦାୟିତ୍ବ ବହନ କରିବେ । ସେହିପରି ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର ଓ ରେଙ୍ଗାଲି ବିଧାନସଭା କ୍ଷେତ୍ର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ଗୌତମ ବୁଦ୍ଧ ଦାସଙ୍କୁ ଦେବଗଡ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ବିଜେଡି ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ସେହିପରି ଅମରେଶ ଜେନାଙ୍କୁ ବୌଦ୍ଧ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି ।
2024 ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଦଳ କଡ଼ା ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ପଶ୍ଚିମ ଓଡ଼ିଶା, ବିଶେଷ କରି ସମ୍ବଲପୁରରେ ଶାସକ ଦଳ ବିଜେଡି ଅପେକ୍ଷା ବିରୋଧୀ ବିଜେପିର ଦବଦବା ଅଧିକ ରହିଛି । ତେଣୁ ଏଥର ବିଜେପିକୁ କଡ଼ା ଟକ୍କର ଦେବାକୁ ସ୍ବତନ୍ତ୍ର ରଣନୀତି କରିଛନ୍ତି ବିଜେଡି ସୁପ୍ରିମୋ । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଏବେ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବରେ ଅଛନ୍ତି । ଏହା ସହିତ ସମ୍ବଲପୁର ଭଳି ହାଇପ୍ରୋଫାଇଲ ଲୋକସଭା ଆସନର ଅତିରିକ୍ତ ଦାୟିତ୍ବ ସମ୍ଭାଳିବେ ମାନସ । ସୌଭାଗ୍ୟ ନାୟକ ଓ ଗୌତମ ବୁଦ୍ଧ ଦାସଙ୍କ ସମେତ ମାନସଙ୍କ ଏହି ଟିମ୍ ସମ୍ବଲପୁର ଲୋକସଭା କ୍ଷେତ୍ରକୁ ଅନୁଧ୍ୟାନ କରି ଏଠାରୁ ଉତ୍ତମ ପ୍ରାର୍ଥି କିଏ ହେବେ ସେନେଇ ସମୀକ୍ଷା କରିବେ । ଏହି ଲୋକସଭା ଆସନ ଏବେ ବିଜେପି ହାତରେ ରହିଛି ।