ଭୁବନେଶ୍ବର: ମୃତ୍ତିକା ହେଉଛି ଜନସମାଜ ପାଇଁ ପ୍ରକୃତିର ଏକ ମୂଲବାନ ଅବଦାନ । ଏହାର ଉପଯୁକ୍ତ ଯତ୍ନ ସହ କିପରି ଏହାକୁ ସଂରକ୍ଷିତ କରି ରଖି ହେବ ସେନେଇ ଅନେକ ପଦକ୍ଷେପ ନିଆଯାଉଛି (Research on soil conservation is essential)। ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ପ୍ରାକୃତିକ ସମ୍ବଳ ପରିଚାଳନା ସହ ନିର୍ଦ୍ଦେଶକ ଡା. ଏସକେ ଚୌଧୁରୀ (Dr. SK Chowdhury)କହିଛନ୍ତି ଯେ, ବର୍ତ୍ତମାନ ବୈଜ୍ଞାନିକମାନେ ମୃତ୍ତିକାକୁ ନେଇ ବିଭିନ୍ନ ସ୍ତରରେ ଗବେଷଣା ଜାରି ରଖିଛନ୍ତି। ଏହାର ପରିସୀମାକୁ ବିଶେଷ ଭାବରେ ବିସ୍ତୃତ କରିବା ଜରୁରୀ । ଉର୍ବର ମାଟିରୁ ହିଁ ଉତ୍ତମ ଖାଦ୍ୟ ମିଳିପାରିବ ।
ଯୁକ୍ରେନ ଓ ରୁଷିଆ ଯୁଦ୍ଧ ଫଳରେ ପୁରା ବିଶ୍ବରେ ମୃତ୍ତିକା, ସାର ଆଦି କ୍ଷେତ୍ରରେ ସନ୍ତୁଳନ ନଷ୍ଟ ପାଇଛି। ଏଣୁ ପ୍ରାକୃତିକ କୃଷିକୁ ବହୁଳ ମାତ୍ରାରେ ଆପଣେଇ ସଫଳ ଚାଷ ଦିଗରେ ମନବଳାଇବାକୁ ଡ. ଚୌଧୁରୀ ପରାମର୍ଶ ଦେଇଛନ୍ତି। ଉର୍ବର ମୃତ୍ତିକା ସ୍ବାସ୍ଥ୍ୟକର ସମାଜ ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମାଟିକୁ ପ୍ରଦୂଷଣମୁକ୍ତ କରିବା ସହ ଉର୍ବରତାକୁ ବୃଦ୍ଧି କରିବା ଦିଗରେ ଅନେକ ଚେଷ୍ଟା କରିବା ନିହାତି ଆବଶ୍ୟକ । ଏହା ସହ ମୃତ୍ତିକାରେ ଗନ୍ଧକ ଓ ଦସ୍ତା ପରିମାଣ ବୃଦ୍ଧି ପାଇଲେ ମାଟିର ଉର୍ବରତା ବଢିବ। ଫଳରେ ସ୍ବାସ୍ଥ୍ୟକର ପରିବେଶ ଗଠନ ଦିଗରେ ସହାଯକ ହୋଇପାରିବ ବୋଲି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି ।