ଓଡିଶା

odisha

ETV Bharat / state

ଡରାଇଲାଣି H3N2 ଭାଇରସ, ଓଡ଼ିଶାରୁ ୫୯ଜଣ ଆକ୍ରାନ୍ତ ଚିହ୍ନଟ - ଓଡିଶା ଖବର

ଚିନ୍ତା ବଢ଼ାଇଲାନି H3N2 ଭାଇରସ । ଦେଶରେ ଭାଇରସ ଦ୍ବାରା ସଂକ୍ରମିତ ହୋଇ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜ୍ୟରେ ୫୯ଜଣ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ

H3N2 virus
H3N2 virus

By

Published : Mar 11, 2023, 8:06 PM IST

ଭୁବନେଶ୍ବର:କୋରୋନା ପରେ ଡରାଇଲାଣି ଆଉ ଏକ ନୂଆ ଭାଇରସ H3N2 । ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇ ଦେଶରେ କର୍ଣ୍ଣାଟକ ଓ ହରିୟାଣାରେ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ଆମ ରାଜ୍ୟ ଓଡ଼ିଶାରେ ୫୯ ଜଣ H3N2 ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଆରଏମଆରସି (RMRC) ପକ୍ଷରୁ ସୂଚନା ଦିଆଯାଇଛି । ଏହି ଭାଇରସଟି କୋରୋନା ପରେ ଏବେ ସାରା ବିଶ୍ବରେ ବ୍ୟାପୁଥିବା ବେଳେ ସମାନ ଲକ୍ଷଣ ମଧ୍ୟ ଦେଖାଦେଉଛି ।

ଏହି ଭାଇରସ ଦ୍ବାରା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କୁ ମାଡ଼ି ଚାଲିଛି ଜ୍ବର ଥଣ୍ଡା ଓ କାଶ । ତେବେ ଦେଶରେ ୨ ଜଣଙ୍କ ଏହି ଭାଇରସ ଦ୍ଵାରା ମୃତ୍ୟୁ ଘଟିଥିବା ବେଳେ ଓଡ଼ିଶାରୁ ୫୯ଟି H3N2 ଭାଇରସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ଜାନୁଆରୀ ଓ ଫେବୃଆରୀ ମାସରେ ପାଖାପାଖି ୨୦୦ ନମୁନା ସଂଗ୍ରହ କରାଯାଇଥିଲା । ତେବେ ଏହି ସଂଗୃହିତ ନମୁନା ମଧ୍ୟରୁ ୫୯ଟି ପଜିଟିଭ ଚିହ୍ନଟ ହୋଇଛନ୍ତି । କୋରୋନା ମହାମାରୀ ପରେ ଏବେ ସାରା ଦେଶରେ କାୟା ବିସ୍ତାର କରୁଛି H3N2 ଭାଇରସ । କୋରୋନା ପରେ ପରେ ଏବେ H3N2 ଭାଇରସ ସଂକ୍ରମଣ ଖୁବ ଜୋରରେ ବ୍ୟାପିବାରେ ଲାଗିଛି । H3N2 ଇନଫ୍ଲୁଏଞ୍ଜାର ପ୍ରକୋପ ଦେଶର ଚିନ୍ତା ବଢାଇବାରେ ଲାଗିଛି ।

ଏହା ବି ପଢନ୍ତୁ- ପୁଣି ଡରାଇଲା ଆଉ ଏକ ଭାଇରସ, H3N2ରେ ଭାରତରେ ୨ମୃତ

ଅନ୍ୟପଟେ H3N2 ଇନଫ୍ଲୁଏଞ୍ଜାରକୁ ନେଇ ସତର୍କ କରାଇଛି କେନ୍ଦ୍ର । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକକୁ ମଧ୍ୟ ସତର୍କ କରିଛି । ମେଡିକାଲରେ ବେଡ଼ ଓ ଅକ୍ସିଜେନ ସିଲିଣ୍ଡର ରଖିବା ସହ ପରାମର୍ଶ ଦେଇଛି କେନ୍ଦ୍ର । ଏହା ସହ ଟେଷ୍ଟ ଟ୍ରାକ ଚିକିତ୍ସା ଓ ଟୀକାକରଣ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । ସୂଚନା ଅନୁଯାୟୀ, H3N2 ଇନଫ୍ଲୁଏଞ୍ଜାର ଲକ୍ଷଣ ବିଶେଷ ଭାବରେ ଜ୍ବର, କାଶ, ଛିଙ୍କ ଏବଂ ଥଣ୍ଡା ଓ ବାହାରୁଥିବା ସୂକ୍ଷ୍ମ ଜଳକଣିକା ଦ୍ଵାରା ବାୟୁ ମାଧ୍ୟମରେ ବ୍ୟାପେ। ରୋଗୀର ଲାଳ, ସିଙ୍ଘାଣି, ଛେପ, ଖଙ୍କାର ଆଦି ସଂସ୍ପର୍ଶରେ ଆସିଲେ ଏହା ସଂକ୍ରମିତ ହୁଏ ।

ଯେତେବେଳେ ଜଣେ ବ୍ୟକ୍ତି ଏହି ଭାଇରସ ଦ୍ବାରା ସଂକ୍ରମିତ ହୁଏ ସେତେବେଳେ ଜ୍ଵର କାଶରେ ପୀଡ଼ିତ ହେବା ସହ ତାକୁ ଅଣନିଶ୍ଵାସ ଲାଗିଥାଏ । ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହୁଏ । କିଛି କ୍ଷତ୍ରରେ ମଧ୍ୟ ନିମୋନିଆ ହୋଇପାରେ। କୋଭିଡ ପାଇଁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବା ବ୍ୟକ୍ତି ଏଥିରେ ସହଜରେ ଆକ୍ରାନ୍ତ ହେବା ସମ୍ଭାବନା ରହିଛି । ଏହା ସହ କୋରୋନା ସମୟରେ ଯେଭଳି ଭାବରେ ମାକ୍ସ ପିନ୍ଧୁଥିଲେ ତାହା ପୁନର୍ବାର ପିନ୍ଧିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହା ସେତେ ମାତ୍ରାରେ ଘାତକ ନୁହେଁ, ହେଲେ କ୍ଷିପ୍ର ଗତିରେ ବ୍ୟାପୁଛି । ଏଣୁ ସତର୍କତା ଅବଲମ୍ବନ କରିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details