ଖୋର୍ଦ୍ଧା:ବିଭିନ୍ନ ଜୀବମାନଙ୍କୁ ନେଇ ସୃଷ୍ଟି ହୋଇଛି ସୁନ୍ଦର ଜୀବଜଗତ । ନାନା ରଙ୍ଗବେରଙ୍ଗର ଫୁଲଫଳ, ଗଛଲତା, ନଦନଦୀ ଓ ବିଶାଳ ସମୁଦ୍ର ଏ ସବୁ ସୃଷ୍ଟି ଭିତରେ ସ୍ରଷ୍ଟାଙ୍କର ଗୋଟେ ଗୋଟେ ସୁନ୍ଦର କାରିଗରୀ । ଏହାରି ଭିତରେ ଆଉ ଏକ ସୃଷ୍ଟି ହେଉଛି ଲାଲ ଟୁକୁଟୁକୁ ସାଧବବୋହୂ । ବର୍ଷାର ପ୍ରଥମ ଅସରା ଯେତେବେଳେ ଧରାପୃଷ୍ଠକୁ ସ୍ପର୍ଶ କରେ ସେତେବେଳେ ନିଜର ସୁନ୍ଦର ରୂପରେ ସମସ୍ତଙ୍କ ମନ ମୋହି ନିଅନ୍ତି ସାଧବ ବୋହୂ । ନାଲି ରଙ୍ଗ ଆବରଣରେ ସବୁଜ ଧରଣୀକୁ ଅଧିକ ଆକର୍ଷଣୀୟ କରନ୍ତି ଏମାନେ । ସାଧବବୋହୂକୁ ସୁଖ ଓ ସମୃଦ୍ଧିର ବାର୍ତ୍ତାବହ ବୋଲି ବିଶ୍ବାସ କରନ୍ତି ଚାଷୀକୂଳ । ହେଲେ ଏହା ଏବେ ଧିରେ ଧିରେ ଲୋପ ପାଇବାକୁ ବସିଲାଣି ।
ମୌସୁମୀର ଆଗମନରେ ବର୍ଷାଧାରା ମାଟିକୁ ସ୍ପର୍ଶ କରିବାପରେ ଧରଣୀ ରାଣୀର କୋଳରୁ ସୃଷ୍ଟି ହୁଏ ଏହି ସାଧବବୋହୂ । ବର୍ଷାଭିଜା ନରମ ମାଟିର ବାସନା ପାଇ ନାଲିରଙ୍ଗର ପସରା ଧରି ପଦାକୁ ଆସିଥାଏ ସାଧବବୋହୂ । ଏହି ସାଧବବୋହୁର ସୌନ୍ଦର୍ଯ୍ୟ ଦେଖିଲେ ଲାଗେ ସତେ ଯେମିତି ପ୍ରକୃତି ତାର ସମସ୍ତ ରଙ୍ଗକୁ ଢାଳି ଦେଇଛି ଏହି ସାଧବବୋହୂ ଉପରେ । ସାଧବ ଘର ବୋହୁ ନାଲି ପାଟ ଶାଢ଼ୀ ପିନ୍ଧିବା ପରେ ଯେମିତି ସୁନ୍ଦର ଦେଖାଯାଏ ସେମିତି ସୁନ୍ଦର ଏହି ପୋକ ଦେଖାଯାଉଥିବାରୁ ବୋଧ ହୁଏ ତାକୁ ମଧ୍ୟ ସାଧବବୋହୂ ବୋଲି କୁହାଯାଏ ।