ଭୁବନେଶ୍ବର:ଆଜି ରାଜ୍ୟ ସରକାରଙ୍କ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ୪୧୬୬ ଜଣ ମାଧ୍ୟମିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି । ଏଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏକ ନିଯୁକ୍ତି ପର୍ବ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପିଲାମାନଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏହା ସହିତ ଆମର ମହାନ ଦେଶ, ମହାନ ଜାତି ଓ ମହାନ ସଂସ୍କୃତିକୁ ଭଲ ପାଇବା ସହିତ ଏଥିପାଇଁ ଗର୍ବ ଅନୁଭବ କରିବାକୁ ପିଲାମାନଙ୍କୁ ପ୍ରେରଣା ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି । ଛାତ୍ରଛାତ୍ରୀ ଯେପରି ବଡ ସ୍ୱପ୍ନ ଦେଖିବେ ଓ ନିଜର ଲକ୍ଷ୍ୟ ହାସଲ କରିବାରେ ଏବଂ ସଫଳ ହେବେ ସେଥିପାଇଁ ଉଦ୍ୟମ କରିବାକୁ ସେ ପରାମର୍ଶ ଦେଇଥିଲେ । ଏକ ବିଂଶ ଶତାବ୍ଦୀରେ ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ ବୋଲି ସେ କହିଥିଲେ ।
ତେବେ ନବନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣଙ୍କ ସଫଳତା ପଛରେ ଆପଣଙ୍କ ପରିବାରର ସ୍ୱତନ୍ତ୍ର ଅବଦାନ ରହିଛି । ସେଥିପାଇଁ ସେ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଥିଲେ । ଶିକ୍ଷା ପିଲାମାନଙ୍କ ମଧ୍ୟରେ ମୌଳିକ ଜ୍ଞାନ ଓ ଦକ୍ଷତା ସୃଷ୍ଟି କରେ । ସେମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରିବା ସହିତ ସେମାନଙ୍କୁ ରୂପାନ୍ତରିତ ନାଗରିକରେ ପରିଣତ କରିବାରେ ସାହାଯ୍ୟ କରେ । ଶିକ୍ଷକମାନଙ୍କ ଲକ୍ଷ୍ୟ କେବଳ ଭଲ ଛାତ୍ର ସୃଷ୍ଟି କରିବା ନୁହେଁ, ଭଲ ଛାତ୍ର ସହିତ ଭଲ ମଣିଷ ମଧ୍ୟ ସୃଷ୍ଟି କରିବା ସେମାନଙ୍କର ଲକ୍ଷ୍ୟ ହେବା ଆବଶ୍ୟକ । ଶିକ୍ଷାଦାନ କେବଳ ଏକ ବୃତ୍ତି ନୁହେଁ ବରଂ ଭବିଷ୍ୟତ ପାଇଁ ଓଡିଶାକୁ ପ୍ରସ୍ତୁତ କରିବାର ଏକ ମିଶନ ବୋଲି ସେ କହିଥିଲେ ।
ସେହିପରି ଶିକ୍ଷା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା 5T ଉପକ୍ରମରେ ୬୮୮୩ଟି ହାଇସ୍କୁଲର ରୂପାନ୍ତରଣ କରାଯାଇଛି । ଏହା ଦ୍ୱାରା ସ୍କୁଲର ଭିତ୍ତିଭୂମି ଓ ସାମଗ୍ରୀକ ବାତାବରଣରେ ବିରାଟ ପରିବର୍ତ୍ତନ ଆସିଛି । ଏହା ଦ୍ୱାରା ରାଜ୍ୟର ଶିକ୍ଷା ଦୃଶ୍ୟପଟ୍ଟରେ ରୂପାନ୍ତର ଆସିଛି । ଏଥିପାଇଁ ସରକାରୀ ସ୍କୁଲଗୁଡିକରେ ନାମଲେଖା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି । ଶିକ୍ଷା କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ଶିକ୍ଷା ପରିବ୍ୟବସ୍ଥାରେ ଜଡିତ ସମସ୍ତଙ୍କୁ ପୁରସ୍କାର ଦେବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବର୍ଷକୁ ୧୩୮ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି । ଏହି ପୁରସ୍କାର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ସରକାରୀ ସ୍କୁଲ, ଗ୍ରାମ ପଞ୍ଚାୟତ, ସ୍କୁଲ ପରିଚାଳନା କମିଟି, ପ୍ରାକ୍ତନ ଛାତ୍ରଛାତ୍ରୀ ଓ ଜିଲ୍ଲା ଏବଂ ବ୍ଲକସ୍ତରୀୟ ଶିକ୍ଷା ଅଧିକାରୀମାନଙ୍କୁ ଦିଆଯିବ ।