ଭୁବନେଶ୍ବର:405ଜଣ ବନ୍ଦୀଙ୍କ ମୁକ୍ତି ପାଇଁ ସୁପାରିସ । ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶାବଳି ଭିତ୍ତିରେ ଓଡିଶା ସରକାର ଆଜୀବନ ସଜା ଭୋଗୁଥିବା ଦୋଷୀ ବନ୍ଦୀମାନଙ୍କୁ ଜେଲରୁ ଖଲାସ କରିବା ପାଇଁ ଏକ ନୀତି କରିଛନ୍ତି । ସେହି ନୀତି ଅନୁସାରେ ଗୁରୁତର ଅପରାଧରେ ଦୋଷୀସାବ୍ୟସ୍ତ ହୋଇଥିବା ବନ୍ଦୀମାନେ ଛୁଟି ସହ କୋଡିଏ ବର୍ଷ ପର୍ଯ୍ୟନ୍ତ ଜେଲରେ ରହିଥିଲେ ତାଙ୍କ ସଜା କୋହଳ ପାଇଁ ସରକାରଙ୍କ ଦ୍ୱାରା ଗଠିତ ସଜା କୋହଳ କମିଟି ବିଚାର କରିବେ । କୌଣସି ପରିସ୍ଥିତିରେ ଜଣେ ସର୍ବାଧିକ ପଚିଶ ବର୍ଷ ଜେଲରେ ରହିବେ ନାହିଁ ବୋଲି ଏହି ନୀତିରେ ରହିଛି । ଏହି ନୀତି ଥିବା ବେଳେ ଆମ ରାଜ୍ୟରେ ବହୁତ ବନ୍ଦୀ ୨୫ବର୍ଷ ଜେଲରେ ରହିଛନ୍ତି ବୋଲି ସୂଚନା ଅଧିକାର ଆଇନ ଅନୁସାରେ ତଥ୍ୟ ମିଳିଛି ।
ରାଜ୍ୟ ଜେଲ ନିର୍ଦ୍ଦେଶାଳୟରୁ ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନଗୋଙ୍କୁ ଦିଆଯାଇଥିବା ଏହି ତଥ୍ୟରେ କୁହାଯାଇଛି ଯେ, ଜାନୁଆରୀ 2019- 2022 ଏପ୍ରିଲ ସୁଦ୍ଧା କୋଡିଏ ବର୍ଷ ସଜା ଭୋଗିଥିବା 28 ଜଣଙ୍କୁ ଖଲାସ ପାଇଁ ଏହି କମିଟି ସରକାରଙ୍କୁ ସୁପାରିସ କରିଛି । 21 ବର୍ଷ ଜେଲରେ ଥିବା ଦୋଷୀ ବନ୍ଦୀଙ୍କ ଭିତରୁ 20 ଜଣ, 22 ବର୍ଷ ସଜା ଭୋଗି ସାରିଥିବା ଜଣେ, 23 ବର୍ଷ ଜେଲରେ ଥିବା 14 ଜଣ, 24 ବର୍ଷ ଜେଲ ଜୀବନ ବିତାଉଥିବା 9 ଜଣ ଓ 25 ବର୍ଷ ଜେଲରେ ଥିବା 12 ଜଣ ବନ୍ଦୀକୁ ଖଲାସ ପାଇଁ ଦଣ୍ଡ କୋହଳ କମିଟି ପକ୍ଷରୁ ସରକାରଙ୍କୁ ସୁପାରିସ କରାଯାଇଛି । 25 ବର୍ଷରୁ ଉର୍ଦ୍ଧ୍ବ 5 ଜଣ ଜେଲରେ ରହିବା ପରେ ମୁକୁଳିବା ପାଇଁ ବାଟ ଫିଟିଛି । 27 ବର୍ଷ ବନ୍ଦୀଥିବା 5 ଜଣ, 28 ବର୍ଷ ବନ୍ଦୀ ଥିବା 4 ଜଣ, 29 ବର୍ଷ ବନ୍ଦୀ ଥିବା ଜଣେ, 30 ବର୍ଷ ବନ୍ଦୀ ଥିବା 4 ଜଣ, 34 ବର୍ଷ ବନ୍ଦୀ ଥିବା ଜଣେ, 35 ବର୍ଷ ବନ୍ଦୀ ଥିବା ଜଣେ ଓ 36 ବର୍ଷ ବନ୍ଦୀ ଥିବା ଜଣେ ବନ୍ଦୀଙ୍କୁ ଖଲାସ ପାଇଁ କମିଟି ପକ୍ଷରୁ ସୁପାରିସ କରାଯାଇଥିଲା । ଏହି ଅବଧି ଭିତରେ ଆଜୀବନ ସଜା ଭୋଗୁଥିବା 405 ଜଣଙ୍କୁ ଜେଲରୁ ଖଲାସ କରିବା ପାଇଁ ସଜା କୋହଳ କମିଟି ପକ୍ଷରୁ ସରକାରଙ୍କୁ ସୁପାରିସ କରାଯାଇଛି ।