ଭୁବନେଶ୍ବର: ଖଣ୍ଡପଡା ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ମହଙ୍ଗା ପଡୁଛି କି ସରକାରଙ୍କୁ ସମାଲୋଚନା । ସରକାର ବିରୋଧି ମନ୍ତବ୍ୟ ଦେଇ ପଶ୍ଚାତାପ କରିବେନି ତ ସୌମ୍ୟ ? ସୌମ୍ୟଙ୍କ ବୟାନ ରାଜନୀତି ମହଲରେ ଭୂକମ୍ପ ସୃଷ୍ଟି କରିଥିବା ବେଳେ ଏବେ ଇଓଡବ୍ଲୁ ସ୍କାନରକୁ ଆସିଛନ୍ତି ତାଙ୍କ ସମୁଦି । ଆଜି ଅର୍ଥନୈତିକ ଅପରାଧ ଶାଖାରେ ହାଜର ହୋଇଛନ୍ତି ରିୟଲ ଇଷ୍ଟେଟ ଏମଡି ତପନ ମହାନ୍ତି । ଇଓଡ଼ବ୍ଲ୍ୟୁର ଜଣେ ମହିଳା ଡିଏସପି ରାଙ୍କର ଅଧିକାରିଣୀ ତାଙ୍କୁ ପଚରାଉଚରା କରୁଛନ୍ତି । ଏନେଇ ଇଓଡବ୍ଲୁ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲେ ମଧ୍ୟ କେବଳ ଅଫିସରେ ପଚରାଉଚରା ହୋଇଥିବାର ଦେଖିବାକୁ ମିଳିଛି । ପୂର୍ବରୁ ତପନ ମହାନ୍ତିଙ୍କୁ ଅର୍ଥନୈତିକ ଅପରାଧ ଶାଖାରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଥିଲା ।
ପୂର୍ବରୁ ଜେଡ ଇଷ୍ଟେଟର Z1ରେ ଘର କିଣିଥିବା ଲୋକ ଅନେକ ସମୟରେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଘର ମାଲିକଙ୍କ ବିନା ଅନୁମତିରେ ପ୍ଲାନ୍ ବଦଳାଇଥିବା ଜେଡ ଇଷ୍ଟେଟ ନାଁରେ ଆଗରୁ ଅଭିଯୋଗ ଆସିଛି । ଏପରିକି ପ୍ରୋଜେକ୍ଟ ସାଇଟରେ କିଛି ଡେଭଲପମେଣ୍ଟ ଆଳରେ ଯାହା ପ୍ରତିଶୃତି ଦେଇଥିଲେ ତାହା ହୋଇନଥିବା, ଏପରିକି କିଛି କମନ ଆମେନିଟିଜକୁ ପ୍ରମୋଟର ଏରିଆ କହି ଠକିଥିବା ମଧ୍ୟ ଅଭିଯୋଗ ଆସିଥିଲା । ଏନେଇ ସେଠାରେ ଘର କିଣିଥିବା ମାଲିକ ସଂଘ ବାରମ୍ବାର ଅଭିଯୋଗ କରିବା ସହ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହେଲେ ଏକ ପ୍ରତିଷ୍ଠିତ ବ୍ୟବସାୟୀ ବୋଲି କୌଣସି ସ୍କାନରକୁ ଆସିନଥିଲେ । ଏବେ ହଠାତ୍ ଇଓଡବ୍ଲୁ ତାଙ୍କୁ ନୋଟିସ ଜାରି କରି ପଚରାଉଚରା କରୁଛି । ପ୍ରୋଜେକ୍ଟ ସମ୍ପର୍କିତ ପଚରାଉଚରା କରାଯାଉଥିବା ଚର୍ଚ୍ଚା ଆରମ୍ଭ ହୋଇଛି।