ଭୁବନେଶ୍ବର: 'ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା'ରେ ଓଡ଼ିଶା ଆସିବେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ । ରାଜ୍ୟର ୪ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ହେବ ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ରାହୁଲଙ୍କ ଗସ୍ତ ଓଡିଶା କଂଗ୍ରେସ ପାଇଁ ଶକ୍ତିବର୍ଦ୍ଧକ ହେବ ବୋଲି ଆଶା କରାଯାଉଛି । କିନ୍ତୁ ଅନ୍ୟାନ୍ୟ ଦଳ ଏହାକୁ ହାଲୁକା ଭାବେ ନେଉଛନ୍ତି । ଓଡ଼ିଶାରେ ରାହୁଲଙ୍କ 'ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା'ର କୌଣସି ପ୍ରଭାବ ପଡିବ ନାହିଁ ବୋଲି ସଫା ସଫା କହିଛନ୍ତି ବିଜେଡି ଓ ବିଜେପି ।
'ଭାରତ ଯୋଡୋ ଯାତ୍ରା' ପରେ ଆସନ୍ତା 14ରୁ 'ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା' କରିବ କଂଗ୍ରେସ । ମଣିପୁରରୁ ଆରମ୍ଭ ହୋଇ ମହାରାଷ୍ଟ୍ରରେ ଶେଷ ହେବ ରାହୁଲଙ୍କ ଯାତ୍ରା । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ଏହି ଯାତ୍ରା ରାଜ୍ୟର ୪ଟି ଜିଲ୍ଲା ଅତିକ୍ରମ କରିବ । ପଶ୍ଚିମବଙ୍ଗରୁ ଆସି ମୟୂରଭଞ୍ଜରେ ଓଡି଼ଶାରେ ପ୍ରବେଶ କରି କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଦେଇ ଛତିଶଗଡ଼ ବାହାରିଯିବ ଭାରତ ନ୍ୟାୟ ଯାତ୍ରା । ଏହାସହ ଅଧିକ ୨ଟି ଜିଲ୍ଲା ଯାତ୍ରା କରିବାକୁ ପ୍ରଦେଶ କଂଗ୍ରେସ ପକ୍ଷରୁ ପ୍ରସ୍ତାବ ଦିଆଯିବ । ରାହୁଲଙ୍କ ଏହି ଯାତ୍ରାକୁ ନେଇ କଂଗ୍ରେସ ଶିବିର ଉତ୍ସାହିତ ହୋଇଛି ।
ବିଜେଡି ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି , "ରାହୁଲ ଗାନ୍ଧୀ ବୁଲନ୍ତୁ । ତାଙ୍କୁ କେହି ମନା କରିନାହାନ୍ତି । ଗତଥର ମଧ୍ୟ ବୁଲିଥିଲେ । କଂଗ୍ରେସର ଅବସ୍ଥା କଣ ହେଲା ? ଆମେ କାହା ବିରୋଧରେ କହିବାକୁ ଚାହୁଁନା । ସେ ଚେଷ୍ଟା କରନ୍ତୁ । ହେଲେ ଓଡି଼ଶାରେ କୌଣସି ପ୍ରଭାବ ପଡିବ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଜଣେ ରାଜନୈତିକ ବ୍ୟକ୍ତି ନୁହଁନ୍ତି, ସେ ଲୋକଙ୍କ ହୃଦୟରେ ଅଛନ୍ତି । ତାଙ୍କୁ କିଏ ବାହାର କରିପାରିବ ? ଜଗନ୍ନାଥଙ୍କ ପରମ ଭକ୍ତ ନବୀନ । ଯିଏ ଆସନ୍ତୁ ଓ ବୁଲନ୍ତୁ କିଛି ପ୍ରଭାବ ପଡିବ ନାହିଁ ।"