ଭୁବନେଶ୍ବର: ପବିତ୍ର ଦଶହରା ଅବସରରେ ଆଜି ରାଜଧାନୀରେ ଧୁିମଧାମରେ ରାବଣ ପୋଡ଼ି ଅନୁଷ୍ଠିତ ହୋଇଥିଲା । ୬ଟି ସ୍ଥାନରେ ରାବଣ ପୋଡ଼ି ନେଇ ଅନୁମତି ଦେଇଥିଲା କମିଶନରେଟ ପୋଲିସ । ୬ଟି ପୂଜା ମଣ୍ତପ ହେଉଛି.- ବରମୁଣ୍ଡା ପଡ଼ିଆ, ଝାରପଡ଼ା ପଡ଼ିଆ, କୋରଡ କଣ୍ଟା, ନହରକଣ୍ଟା, ଛତାବର ଓ ତମାଣ୍ଡୋ । ତେବେ ଏହି ସ୍ଥାନରେ ବିଶାଳ ରାବଣ ପୁତ୍ତଳିକା ନିର୍ମାଣ କରି ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବାଣରେ ଉତ୍ସବ ମୁଖର ହୋଇ ପଡିଥିଲା ରାଜଧାନୀ । ତେବେ ଏହାଛଡା ନୟପଲ୍ଲୀ ଭଲି କେତେକ ପୂଜା ମଣ୍ତପ ମଧ୍ୟ ବିନା ଅନୁମତିରେ ରାବଣ ପୋଡି କରିଥିବା ଦେଖିବାକୁ ମିଳିଛି ।
ତେବେ ରାବଣ ପୋଡି ପୂର୍ବରୁ କମିଶନରେଟ ପକ୍ଷରୁ ଗାଇଡଲାଇନ ପ୍ରସ୍ତୁତ କରାଯାଇଥିଲା । ଯଥା ରାବଣ ପୋଡ଼ି ସମୟରେ ରାବଣର ପାଖାପାଖି ରାବଣ ପୋଡ଼ିଠାରୁ ୧୦୦ରୁ ୨୦୦ମିଟର ଦୂରରେ ଲୋକେ ଠିଆ ହେବାର ବ୍ୟବସ୍ଥା କରାଯାଇଥିଲା । ଏଥିସହ ଫାୟାର ଟିମ୍ ଆଲର୍ଟ କରାଯାଇଥିଲା । ଯେଉଁମାନେ କି ଫାୟାର ଗାଡ଼ି ସହ ବିଭିନ୍ନ ଅଗ୍ନିଶମ ସରଞ୍ଜାମ ଧରି ଉପସ୍ଥିତ ରହିଥିଲେ । ଏଥିସହ ଏକ ମେଡିକାଲ ଟିମ୍ ମଧ୍ୟ ନିୟୋଜିତ ରହିଥିଲେ । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ସମସ୍ତଙ୍କ ହାଇଆଲର୍ଟ ରହିଥିଲେ । ପୂଜା ମଣ୍ଡପରେ ସ୍ବଚ୍ଛାସେବୀ ସହ ପୋଲିସ ମଧ୍ୟ ମୁତୟନ ରହିଥିଲେ । ଲୋକଙ୍କ ଗହଳି ପରିଚାଳନା କରିବା ନେଇ ବିଶେଷ ଧ୍ୟାନ ଦେଇଥିଲା ଟ୍ରାଫିକ୍ ପୋଲିସ । ସେସବୁ ଦୃଷ୍ଟିରୁ ଏହି ସ୍ଥାନରେ ବିଶେଷ କରି ଟ୍ରାଫିକ ପରିଚାଳନା ଉପରେ ଫୋକସ ଦିଆଯାଇଥିଲା । ଅନ୍ୟପଟେ ରାବଣ ପୋଡ଼ି ସମୟରେ ଟ୍ରାଫିକକୁ ମଧ୍ୟ ଧୀରେଧୀରେ କ୍ଲିୟର କରାଯାଇଥିଲା ।